‘ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ଅନ୍ୱେଷଣ, ବଲାଙ୍ଗିର ପକ୍ଷରୁ ତଥା ଓଡିଶା ନାଟ୍ୟସଂଘ, ଓଡିଶା ଆନୁକୂଲ୍ୟରେ ‘ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଅନ୍ୱେଷଣର ସଂପାଦକ ତଥା ଓଡିଶା ନାଟ୍ୟ ସଂଘ, ବଲାଙ୍ଗିର ଜିଲ୍ଲା ସଂଯୋଜକ ପ୍ରକାଶ ଚନ୍ଦ୍ର ଥନାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକ ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅବଦୁଲ ଜମାଲ ଖାନ ଆଲୋଚ୍ୟ ବିଷୟ ଉପରେ ବିଷଦ ଭାବରେ ଆଲୋଚନା କରିବା ସହିତ ତଥ୍ୟ ଉପସ୍ଥାପନା କରି ନାଟକ ଓ ଦର୍ଶକ ସବୁ ସମୟରେ ଲୋକ ମାନସିକତାକୁ ନେଇ ପରିବର୍ତ୍ତିତ ଓ ଏହାକୁ ଅନୁସରଣ କରି ନାଟ୍ୟକର୍ମୀମାନେ ନାଟକ ପରିବେଷଣ ଦିଗରେ ଅଗ୍ରସର ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ଉପସ୍ଥିତ ନାଟ୍ୟକର୍ମୀଙ୍କଠାରୁ ମଧ୍ୟ ଆଲୋଚ୍ୟ ବିଷୟରେ ମତଦେବାକୁ ଆହ୍ୱାନ କରାଯାଇଥିଲା । ମଂଚ ସଂଯୋଜନା ଓ ଉପସ୍ଥାପନା ଦିଲିପ କୁମାର ଦୀପ କରିଥିବା ବେଳେ ଅନ୍ୱେଷଣର ବରିଷ୍ଠ ସଦସ୍ୟ ତରଣୀସେନ ଦୀପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସରୋଜ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ବଲାଙ୍ଗିରର ବିଭିନ୍ନ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ବରିଷ୍ଣ ନାଟ୍ୟକର୍ମୀ ମଧ୍ୟ ଯୋଗଦାନ କରି ଏହିପରି ଆଲୋଚନାଚକ୍ର ଦ୍ୱାରା ନାଟ୍ୟାନୁଷ୍ଠାନ ତଥା ନାଟ୍ୟକର୍ମୀଙ୍କ ମଧ୍ୟରେ ଉଦ୍ଦୀପନା ସହିତ ଆଗାମୀ ଦିନରେ ନିହାତି ଭାବରେ ସଫଳ ନାଟକ ପରିବେଷଣରେ ସହାୟକ ହେବ ବୋଲି କହିଥିଲେ ।

Leave A Reply

Your email address will not be published.