ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦୁଇଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଗତକାଲି ସିମୁଳିଆ ବ୍ଲକ ମଇତାପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ପରିଚାଳିତ ସୋରିଷ ଚାଷ ବୁଲି ଦେଖିଛନ୍ତି । ପ୍ରାୟ ୩ଶହ ଏକରରୁ ଅଧିକ ଚାଷ ଜମିରେ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସୋରିଷ ଚାଷ କରାଯାଉଛି । ଶ୍ରୀ ମହାପାତ୍ର ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ସଭାରେ ଯୋଗ ଦେଇଥିଲେ । ଶ୍ରୀ ମହାପାତ୍ର ମିଶନ ଶକ୍ତି ସଦସ୍ୟାମାନଙ୍କୁ ୨ଟି ସୋରିଷ ତେଲ ଘଣା କଳ, ୨ଟି ମସଲା ପେଷିବା କଳ, ଗୋଟିଏ ମୁଢି ଭଜା କଳ ଓ ଗୋଟିଏ ଛୋଟ ଧାନକଳ ପ୍ରଦାନ କରିଥିଲେ । ମିଶନ ଶକ୍ତି ଦ୍ୱାରା ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ପଞ୍ଚାୟତ ଗୋଟିଏ ଉତ୍ପାଦ ପ୍ରସ୍ତୁତ କରିବା ନିମନ୍ତେ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ମହିଳାମାନେ କ୍ଷୁଦ୍ର ଉଦ୍ୟୋଗୀ ହୋଇ ପାରିବା ସହ ସେମାନଙ୍କ ଆୟ ଦୁଇଗୁଣା ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.