ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଛାଟେଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ବାର୍ଷିକ ଉତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଇଓ ସୀତାରାମ ପାତ୍ର ଯୋଗ ଦେଇ ବିଦ୍ୟାଳୟକୁ ନିଜର ମନ୍ଦିର ଭାବି ମୋ-ସ୍କୁଲ ଜରିଆରେ ସହଯୋଗର ହାତ ବଢ଼ାଇବାକୁ ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି. ରମେଶ ଚନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ମୁନା ଦାସ, ଯୁବନେତା ବାପି ଦାସ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଦାଶ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ମମତା ଶବର, ଉପେନ୍ଦ୍ରଭଞ୍ଜ ମିଶ୍ର, ଜୋଷ୍ଣାରାଣୀ ବିଶ୍ୱାଳ, ସ୍ୱରଶ୍ମିତା ଦତ୍ତ, ସ୍ମୃତିମେଧା ମହାପାତ୍ର, ସୁନୀଲ ରାଓଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଗଣେଶ ନାହାକ, ବନମାଳୀ ସ୍ୱାଇଁ, ପଙ୍କଜ ନାହାକ, ସଦସ୍ୟା ବୃନ୍ଦ ଓ ଅଗସ୍ତିନୂଆଗାଁ ଗ୍ରାମବାସୀ ସହଯୋଗ କରିଥିଲେ ।
Next Post