ଭୁବନେଶ୍ୱର, (କେପିଏନ୍ଏସ୍) : ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍ଡମା)କୁ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ପ୍ରେସ୍ କନ୍ଫରେନ୍ଦରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମସିହା ପାଇଁ ଓସ୍ଡମାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷ ପାଇଁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ଆମକୁ ଅଧିକ ଦାୟିତ୍ୱବାନ କରିଛି । ଆମକୁ ଆଗାମୀ ଦିନରେ ଏ କ୍ଷେତ୍ରରେ ଆଗକୁ ରହିବାକୁ ପଡିବ । ୧୯୯୯ ମସିହାର ମହାବାତ୍ୟା ପରଠାରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତା’ଫଳରେ ବିଗତ ବାତ୍ୟାଗୁଡିକୁ କ୍ଷୟକ୍ଷତି ହ୍ରାସ ପାଇଛି । ଆମର ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟବାନ ଉକ୍ତିଟି ହେଉଛି (ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ’ । ଏହା ହିଁ ହେଉଛି ଓସ୍ଡମାର ଦର୍ଶନ । ଏହାକୁ ପାଥେୟ କରି ଓସ୍ଡମା କାର୍ଯ୍ୟ କରି ଚାଲିଛି । ସରକାରଙ୍କ ଦକ୍ଷ ନୀତି ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ମଡେଲ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଓ ଜାତିସଂଘ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଛି । ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ଓ ସୁଦୃଢ ବିପର୍ଯ୍ୟୟ ପରିଚାଳନା ସହ ବିପର୍ଯ୍ୟୟ ପରିଚାଳନା ସହ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀ ସହଭାଗିତା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଅନ୍ୟପକ୍ଷରେ ବଜ୍ରପାତ, ଅଗ୍ନିକାଣ୍ଡ, ସାପ କାମୁଡା ଯୋଗୁ ବହୁତ ଜୀବନହାନି ହେଉଛି । ସରକାର ଏବେ ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ବର୍ଷମାନଙ୍କରେ ଏହାର ସୁଫଳ ମିଳିବ । ପାଣିରେ ବୁଡିି ମୃତ୍ୟୁ ମଧ୍ୟ ଏକ ଚିନ୍ତାଜନକ ବିଷୟ । ଏ କ୍ଷେତ୍ରରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ଏବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସାମିଲ କରାଯାଇଛି । ଫଳରେ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶିକ୍ଷା ଦିଆଯିବ । ଅଙ୍ଗନୱାଡି, ପୋଲିସ କନେଷ୍ଟବଲ, ଫରେଷ୍ଟର, ଅଙ୍ଗନୱାଡି କର୍ମୀ, ମିାନ ଶକ୍ତିର ସଦସ୍ୟା ମାନଙ୍କୁ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଓଡ୍ରାଫ୍ ଓ ସଡିଶା ଫାୟାର ସର୍ଭିସକୁ ଅତ୍ୟାବଶ୍ୟକ ଜ୍ଞାନକୌଶଳରେ ସଜ୍ଜିତ କରାଯାଇ ଆବଶ୍ୟକ ଆଡ୍ଭାନ୍ସ ଟେକ୍ନୋଲୋଜି ଓ ସଂରଞ୍ଜାମ ଯୋଗାଇ ଦିଆଯିବା ଫଳରେ ଆପଦକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାର କୌଣସି ଅସୁବିଧା ହେବ ନାହିଁ । ଏହି ଅବସରରେ ଓସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।