jayashree

ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ମାଗଣା ଆଖି ଅପେରେସନରେ ଟଙ୍କା ହଡପ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ମାଗଣା ଆଖି ଅପେରେସନରେ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜାନୁଆରୀ ୮ ତାରିଖ ରବିବାର ଦିନ ପାଇକମାଲ ଧର୍ମଶାଳାଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଯୁବ କୁଲତା ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ତରଫରୁ ମାଗଣା ଆଖି ପରୀକ୍ଷା କରି ୬୦ ଜଣଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ନିଆଯାଇଥିଲା । ଯେଉଁମାନଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲା ତାଙ୍କ ପାଖରୁ ୭୭୨୫ଟଙ୍କା ଲେଖାଏଁ ଅପରେସନ ବାବଦକୁ କାଟି ନେଇଥିବା ଅଭିଯୋଗ ହୋଇଛି । ମାଗଣା ଆଖି ଅପରେସନ ହେବ କହି ଟଙ୍କା କାହିଁକି କାଟିଲେ ବୋଲି ରସାନନ୍ଦ ସାମଲ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ମାଗଣା ଆଖି ଅପେରେସନ କରିବା ନାମରେ ଗରିବ ବୁଢାବୁଢୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ କାହିଁକି ପ୍ରାୟ ୪୪ଜଣଙ୍କର ଜଣ ପ୍ରତି ୭ ହଜାର ୭୨୫ ଟଙ୍କା କାଟି ନିଆଗଲା ବୋଲି କହିବା ସହିତ ଏହା ଉପରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ରସାନନ୍ଦ ସାମଲ (୮୨), ବସନ୍ତ ସୁନା (୯୦), କିଶୋର ସାହୁ (୭୨) ପ୍ରମୁଖ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ତ୍ରିଲୋଚନ ନେତ୍ରାଳୟର କେମ୍ପ ମେନେଜର ସୁମନ୍ତ ଭୋଇଙ୍କୁ ପଚାରିବାରୁ ସେ ଆଖି ପରୀକ୍ଷା ପାଇଁ ମାଗଣା ଅଟେ ଓ ଆଖି ମୋତିଆ ବିନ୍ଦୁ ଅପରେସନ କଲେ ସ୍ୱାସ୍ଥ୍ୟ କାର୍ଡ ଥିଲେ ଭଲ ଲେନ୍ସ ଲଗାଇଲେ ୭୭୨୫ ଟଙ୍କା ଦେବାକୁ ପଡେ ବୋଲି ସେ କହିଥିଲେ ।

Leave A Reply

Your email address will not be published.