ସନ୍ଥ ସ୍ୱର୍ଗତ ରଘୁନାଥ ଜୀ ମହାରାଜାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ବ ଯୋଗାଶ୍ରମର ପ୍ରତିଷ୍ଠାତା ସନ୍ଥ ସ୍ୱର୍ଗତ ରଘୁନାଥ ଜୀ ମହାରାଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଶ୍ରମ ପରିସରରେ ଭାଗବତତତ୍ତ୍ବ ଯୋଗାଶ୍ରମ ସଭାପତି ଗୋବିନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସନ୍ଥ ସ୍ୱର୍ଗତ ରଘୁନାଥ ଜୀ ମହାରାଜ କାଦୁଅରୁ ପଙ୍କ ଜନ୍ମ ହେଲା ପରି ସୁଦୂର ଝାରବନ୍ଧ ବ୍ଲକ କୁର୍ମୀ ଗ୍ରାମରୁ ଆସି ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥଠାରେ ଭାଗବତ ଯୋଗାଶ୍ରମ ପ୍ରତିଷ୍ଠା କରି ଲୋକଙ୍କୁ ଭାଗବତତତ୍ତ୍ବ ଜ୍ଞାନ ପ୍ରଦାନ କରୁଥିଲେ । ଲୋକଙ୍କ ସେବା କରିବା, ସ୍କୁଲରେ ଯୋଗ ଶିକ୍ଷାଦେବା ଓ ରୋଗୀ ମାନଙ୍କ ସେବା ସୁଶ୍ରୁଷା କରିବା ସହିତ ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନକୁ ମଧ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ବକ୍ତାଗଣ ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରଦାନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ତା, ପୁରୁଷୋତ୍ତମ ପ୍ରଧାନ, ମହାଦେବ ପ୍ରଧାନ, କେତନ ବାବୁ, ନନ୍ଦଲାଲ ପ୍ରଧାନ, ଏକାରାମ ସାହୁ, ସୁବାଷ ପ୍ରଧାନ, ଦୈତାରି ବିଶ୍ବାଳ, ଲମ୍ବୋଦର ବେହେରା, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ଭୀଷ୍ମଦେବ ପଟେଲ, ଧିରେନ ମହାନ୍ତି ପ୍ରମୁଖ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସନ୍ଥ ରଘୁନାଥ ଜୀଙ୍କ ସ୍ମୃତି ପୀଠ ସ୍ଥାପନ ଓ ହବନ ଯଜ୍ଞରେ କର୍ତ୍ତା ଭାବେ ପ୍ରତାପ ପ୍ରଧାନ ପତ୍ନୀ ନିହାରିକା ପ୍ରଧାନ, ମନୋଜ ପ୍ରଧାନ ପତ୍ନୀ ସୀତାଞ୍ଜଳି ପ୍ରଧାନ, ବୈଦିକ ଯଜ୍ଞ ହୋମଯଜ୍ଞରେ ଭଗବାନ ସାହୁ ପତ୍ନୀ ପ୍ରିୟବତୀ ସାହୁ ବସିଥିବା ବେଳେ ପଣ୍ଡିତ ସାନେଜିତ କୁମାର ନନ୍ଦ, ପଦ୍ମନାଭ ମିଶ୍ର ପ୍ରମୁଖ ପୂଜା ଅର୍ଚ୍ଚନା କରିଥିଲେ । କୁର୍ମୀ ଓ ପୁରେନା ଗ୍ରାମର ସଂକୀର୍ତ୍ତନ ଦଳ ଭଜନ ଓ ଜଣାଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଞାପନ କରିଥିଲେ । ଏହି ଶୋକସଭାରେ ବରଗଡ, ଛତିଶଗଡ, ଖୋର୍ଦ୍ଧା, ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତଥା ଭାଗବତ ପ୍ରେମୀ ଯୋଗ ଦେଇ ସନ୍ଥ ସ୍ୱର୍ଗତ ରଘୁନାଥ ଜୀଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ଶେଷରେ ଭାଗବତତତ୍ତ୍ବ ଯୋଗାଶ୍ରମ ସଂପାଦକ ମହାଦେବ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଭାଗବତ ଯୋଗାଶ୍ରମ ଭବିଷ୍ୟତ ପାଇଁ ସମସ୍ତଙ୍କର ସୁଦୃଷ୍ଟି ଦେବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.

error: Content is protected !!