csstore

ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସଂଧ୍ୟା

  • ସଂସ୍କୃତି, ପରମ୍ପରା ସହିତ ମିଳିତ ଭାବରେ ବିକାଶ ଧାରା ଆଗେଇବାକୁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ କୋଶଳ କଳାମଣ୍ଡଳ ପଡିଆରେ ପ୍ରବଳ ଭିଡ ଦେଖାଯାଇଥିଲା । କଳାପ୍ରେମୀ ବଲାଙ୍ଗିରବାସୀ ହଜାର ହଜାର ସଂଖ୍ୟାରେ ଆସି ଲୋକ ମହୋତ୍ସବକୁ ଉପଭୋଗ କରିବା ସହିତ ପଲ୍ଲିଶ୍ରୀ ମେଳାରେ କିଣାବିକା କରିଥିଲେ । ଗତକାଲି ଦିନବେଳା ଲୋକବାଦ୍ୟକୁ ନେଇ ପ୍ରତିଯୋଗିତା ହୋଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରୁ ଆସିଥିବା କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ସେହିପରି ସଂଧ୍ୟା ୫ଟାରେ ଲୋକ ଉତ୍ସବ ସାଂସ୍କୃତିକ କମିଟି ପକ୍ଷରୁ ଆକାଶବାଣୀ କଳାକାରମାନଙ୍କ ଦ୍ୱାରା ଲୋକ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ କରାଯାଇଥିଲା ।

ସଂଧ୍ୟା ୭ଟାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ତଥା ମହୋତ୍ସବ କମିଟିର ଉପାଧ୍ୟକ୍ଷ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତା ଓ ସେମିନାର କମିଟିର ସହଅଧ୍ୟକ୍ଷ ସଂଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି, ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବିଶିଷ୍ଟ ଟେରାକୋଟା ଶିଳ୍ପୀ ଗୌରଚନ୍ଦ୍ର ରଣା ଓ ଅତିଥି କଳାକାର ଭାବରେ ଲୋକନାଟ୍ୟକାର କବି ଓ ଗୀତିକାର ଦଶରଥ ସାମଲ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ଜିଲ୍ଲା ଆଜି ବିକାଶରେ ଝଲସୁଛି । ଆଗକୁ ସମସ୍ତେ ମିଳିତ ଭାବରେ ଜିଲ୍ଲାର ଜଳସେଚନର ହାର ବଢାଇବାକୁ ଚେଷ୍ଟା କରିବା ବୋଲି କହିଥିଲେ । ଆମ ଜିଲ୍ଲା ତଥା ରାଜ୍ୟ ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇପାରୁଁ କିନ୍ତୁ କଳା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଆମେ ଖୁବ ଉନ୍ନତ । ଏହି କ୍ଷେତ୍ରରେ ଆମେ ଯୁଗଯୁଗ ଧରି ଉନ୍ନତ ରହିଆସିଛୁ ଓ ଏହା ଆମକୁ ସମୃଦ୍ଧ କରିଛି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଥିଲେ । ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ଲୋକ ଉତ୍ସବ ୨୦ବର୍ଷ ପୂର୍ବେ ଏକ ଛୋଟ ଉତ୍ସବରେ ଆରମ୍ଭ ହୋଇଥିବା ବେଳେ ଆଜି ଏହା ମହାଉତ୍ସବରେ ପରିଣତ ହୋଇଯାଇଛି । କୋଶଳ କଳାମଣ୍ଡଳରେ ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଆସି ସମ୍ମିଳିତ ହେଉଛନ୍ତି । ମହୋତ୍ସବକୁ ଆମେ ଯେମିତି ମିଳିମିଶି ପାଳନ କରୁଛୁ ଠିକ ସେମିତି ଜିଲ୍ଲାର ବିକାଶ କ୍ଷେତ୍ରରେ ଦଳମତ ନିର୍ବିଶେଷରେ ମିଳିତ ଭାବରେ ରହି ଦାବୀ ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ସହରରେ ପାନୀୟଜଳର ସୁବିଧା ପାଇଁ ରାଜ୍ୟ ସରକାର ୧୨୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିବା କଳିକେଶ ସୂଚନା ଦେଇଥିଲେ । ଦେବକୀ ସାହୁ ମଧ୍ୟ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା କହିଥିଲେ । ମହୋତ୍ସବ ଜରିଆରେ ଆମେ ବିକାଶ କାମକୁ ଆଗେଇ ନେବା ବୋଲି କହିଥିଲେ । ଏହି ଅବସରରେ ବିଶିଷ୍ଟ ସଂଗୀତସାଧକ ଅଲୋକ ଦାସଙ୍କୁ ଅତିଥିଗଣ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହୋତ୍ସବ କମିଟିର ଲୋଟସ ଷଡଙ୍ଗୀ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୋମନାଥ ମିଶ୍ର ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସଭାପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ନୋରତା ମଧ୍ୟପ୍ରଦେଶ, ତିୟା ଆସାମ, ପଞ୍ଜାବର ଭାଙ୍ଗଡା, ଫଗନୃତ୍ୟ ରାଜସ୍ଥାନ, ବଲାଙ୍ଗିରର ସୁରମନ୍ଦିର, କେଲବେଲିଆ ରାଜସ୍ଥାନ, କୋସଲ ଫୋକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି, ଜିଲ୍ଲା ସଂସ୍କୃତି ପରିଷଦ ନୂଆପଡା, ସଂଜୋତ କଳାକେନ୍ଦ୍ର ବଲାଙ୍ଗିର, ରାଧାରାଣୀ ସାଂସ୍କୃତିକ ସଂସଦ ବଲାଙ୍ଗିରର କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.