ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭିକେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ । ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ । ୧୫ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ, ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ, ଯାତ୍ରୀ ନିବାସ ନିର୍ମାଣ ଏବଂ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା । ବେଦ ବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠକୁ ଆସିଥାନ୍ତି । ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ । ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ରାଉରକେଲା ମ୍ୟୁନିସପାଲ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।