jayashree

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକପ୍ରିୟତାରେ ଅଦ୍ଭୁତପୂର୍ବ ସାଫଲ୍ୟ

• ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି
• ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ଅଭିବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଦ୍ଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ତଥା ଓଡ଼ିଶା ହେଲଥ୍ ଇନ୍‌ସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଏବଂ ତତ୍ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଶ୍ରୀ ମହାପାତ୍ର ଜଣାଇଥିଲେ ଯେ, ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍‌ମାନଙ୍କରେ ବିଏସ୍‌କେୱାଇ ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଔଷଧ ସଂପୂର୍ଣ୍ଣ ଦେୟମୁକ୍ତ ଭାବେ ଲାଭ କରିଥିଲେ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧିପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅଭିବୃଦ୍ଧି ହାସଲ କରାଯାଇଥିଲା ।

ସମାନ୍ତରାଳ ଭାବେ, ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିବା ବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା । ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ଶତକଡ଼ା ବୃଦ୍ଧି ହୋଇଥିଲା । ୨୦୨୧ ମସିହା ଆରମ୍ଭରେ ୧୮୭ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪କୁ ବୃଦ୍ଧି ପାଇଥିଲା ।

ବିଏସ୍‌କେୱାଇ କାର୍ଯ୍ୟାନ୍ୱୟନ ସମୀକ୍ଷା କରି ହସ୍ପିଟାଲମାନେ ଦେଉଥିବା ବିଲ୍‌ର ଅନୁମୋଦନ ପୂର୍ବରୁ ଅନଲାଇନ୍ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଓ ଚିକିତ୍ସା ପ୍ରମାଣ ଆଦିକୁ ସଠିକ ଭାବେ ତନଖି କରିବା ପାଇଁ ଡ଼ାକ୍ତର ବୃନ୍ଦ ବିଭିନ୍ନ ବେସରକାରୀ ହସ୍ପିଟାଲ ଦାୟିତ୍ଵରେ ଥିବା ନୋଡ଼ାଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଏସ୍‌କେୱାଇ ଯୋଜନାର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରୀୟତା ବିଷୟ ଉଲ୍ଲେଖ କରି ଆଗାମୀ ଦିନରେ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କ ସଂଖ୍ୟା ଅଧିକ ବଢିବ ବୋଲି ନୋଡ଼ାଲ ଅଫିସରମାନେ ଆଶା ପ୍ରକାଶ କରିଥିଲେ ।

ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଡ଼େପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.