ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହା ଅଭୟାରଣ୍ୟରେ ଆଜି ବନବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଡିଏଫ୍ଓଙ୍କ ନିର୍ଦ୍ଦେଶରେ କୂଳଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଏନେଇ ପ୍ରାକ୍ ପ୍ରସ୍ତୁତି କରି ସାରିଛନ୍ତି । କୂଳଡ଼ିହା ଅଭୟାରଣ୍ୟ ସମେତ ଋଷିଆ ଡ୍ୟାମ, ସାତଘାଟି ଡ୍ୟାମ, ଖୋମକୁଟ ଡ୍ୟାମ୍ ସହିତ ବିଭିନ୍ନ ଝରଣା ଗୁଡିକରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି । ଅଭୟାରଣ୍ୟକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ନଜିର ଥିବା ବେଳେ ଚଳିତ ବର୍ଷ କେଉଁ ପ୍ରଜାତିର ଓ କେତେ ପକ୍ଷୀ ଆସିଛନ୍ତି ଏନେଇ ବାଇନକୁଳାର ସାହାଯ୍ୟରେ ଗଣାଯିବ ବୋଲି ଜଣାପଡିଛି । ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି । ପକ୍ଷୀ ବିଶେଷଜ୍ଞ ତଥା ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସ ମଧ୍ୟ ସହଯୋଗ କରିବେ । ସେହିପରି କାଂଶ ଅଞ୍ଚଳରେ ଥିବା ବାର୍ଡ ନେଷ୍ଟିଂ ପଏଣ୍ଟ ପଦ୍ମତୋଳା ହ୍ରଦରେ ନୀଳଗିରି ରେଞ୍ଜର ଆଇଶା ଏ ନିଶାଙ୍କ ତତ୍ତ୍ଵବଧାନରେ ଏକ ଟିମ୍ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି ।