୭୪ତମ ଜନରାଜ୍ୟଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ୭୪ତମ ଜନରାଜ୍ୟଦିବସ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଚଳିତବର୍ଷ ପାଳିତ ହେବ । ଯାହାକି, ବିଗତ ବର୍ଷମାନଙ୍କରେ ଯେଉଁଭଳି ଭାବେ ପାଳନ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟକ୍ରମମାନ ସୁରୁଖୁରୁରେ ସମ୍ପାଦିତ ହେଉଥିଲା ସେହିଭଳି ପାଳିତ ହେବ । କୋରନା କଟକଣା ଲାଗି ଗତ ୨୦୨୦ ମସିହାରୁ କଟକଣା ମଧ୍ୟରେ ପାଳିତ ହୋଇଆସିଥିଲା । କିନ୍ତୁ ଚଳିତବର୍ଷ ଏହି ଜାତୀୟଦିବସ ବିଗତ ପୂର୍ବବର୍ଷମାନଙ୍କ ଭଳି ପାରମ୍ପରିକ ପଦ୍ଧତି ମଧ୍ୟରେ ପର୍ଯ୍ୟାୟଭିତ୍ତିକରେ ଅଧିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ମହାସମାରୋହରେ ପାଳିତ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ମତ ପ୍ରକାଶ ପାଇଛି । ଚଳିତ ବର୍ଷ ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ଜାତୀୟଦିବସରେ ପରେଡ଼ ଉପଭୋଗ କରିବାକୁ ପଡ଼ିଆକୁ ଯିବେ ଏବଂ ପରେଡ଼ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଭାଗ ନେବେ, ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ନିଷ୍ପତ୍ତି ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ପୌରାହିତ୍ୟରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ବିଗତ ବର୍ଷର ବିବରଣୀ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଉପରେ ଆଲୋଚନା କରି ବିଶଦ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଙ୍କ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପରେଡ଼ରେ ଉଦବୋଧନ, ପରେଡ଼ ପ୍ରଦୀକ୍ଷଣ ପରେ ମନୋନୀତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ / ଦଳ ତରଫରୁ ପିଟି-ଡ଼ିସପ୍ଲେ ଅବା ଚିତାକର୍ଷକ ଶାରୀରିକ କ୍ରୀଡା ପ୍ରଦର୍ଶନ, ପ୍ରଜ୍ଞାପନ-ମେଢ଼ ଏବଂ ମଧ୍ୟାହ୍ନରେ ଡିଆରଡିଏ ସମ୍ମିଳନୀ ଗୃହରେ ଛତ୍ରପୁର ସାହିତ୍ୟ ସଂସଦ ତରଫରୁ କବିତା ପାଠୋତ୍ସବ, ସାହିତ୍ୟ ଆସର, ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନରେ ସାଂସ୍କୃତିକ ସନ୍ଧ୍ୟା ଆଦି ଆୟୋଜିତ ହେବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.