ଆଲୁମନି ମିଟ୍‌ର ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଡଃ ସମର ମୁଦାଲିଙ୍କ ସଭାପତିତ୍ୱ ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ୱରେ ଆହୁତ ଏହି ସଭାରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ଉପରେ ଆଲୋଚନା କରାଯାଇଥିଲା । ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନରୁ ପ୍ରଶାସକ, ରାଜନେତା, ଶିକ୍ଷାବିତ, ସାମ୍ବାଦିକଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତିତ୍ୱ ସୃଷ୍ଟି ହୋଇଛନ୍ତି । ମହାବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀମାନେ ରାଜନୀତିରୁ ଆରମ୍ଭ କରି ପ୍ରଶାସନିକ ସେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଥିବାରୁ ଏହି ସମାବେଶ କଲେଜର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥିଲା । ଆସନ୍ତା ଜାନୁୟାରୀ ୨୯ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଆଲୁମନି ମିଟ୍ ପାଇଁ ରାଉରକେଲାରୁ ଭୁବନେଶ୍ଵର ଓ ଜାତୀୟସ୍ତରରେ ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଏହାସହ ମହାବିଦ୍ୟାଳୟର ଇତିହାସ ଓ ମହାବିଦ୍ୟାଳୟର ସମାଜକୁ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଲୁମନି ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ଆସନ୍ତା ୧୭ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଡଃ ମୁଦାଲି ଓ ଶ୍ରୀ ମହାପାତ୍ରଙ୍କ ବ୍ୟତୀତ ବିଧାୟକ ସାରଦା ପ୍ରସାଦ ନାୟକ, ସହ ଆବାହକ ରାଜୁ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା, ଅଧ୍ୟାପକ ପ୍ରଦୀପ ଖେସ, ଅଧ୍ୟାପକ ସମୀର ପୃଷ୍ଟି, ସଭାପତି ବିଭୁତି ପୁହାଣ, ସଂପାଦକ ରୋଷନ ସାହୁ, ପ୍ରଦୀପ ଟପ୍ପୋ, ସନରାମ କେର୍କେଟା, କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.