ଗଞ୍ଜାମ ପ୍ରେସ୍‌ କ୍ଲବ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ

  • ଗଞ୍ଜାମ କଲେଜ ଲାୟନ୍ସ ଟିମ୍‌ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ୍‌ କ୍ଲବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ କଲେଜ ଲାୟନ୍ସ ତହସିଲ ଟାଇଗରକୁ ଏକ ରୋମାଞ୍ଚକ ଫାଇନାଲ୍‌ ମ୍ୟାଚ୍‌ରେ ୪ ରନ୍‌ରେ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ଟସ୍‌ ଜିତି ତହସିଲ ଟାଇଗର କଲେଜ ଲାୟନ୍ସକୁ ବେଟିଙ୍ଗ ପାଇଁ ନିମନ୍ତ୍ରଣ କରିଥିଲା । ଗଞ୍ଜାମ କଲେଜ ଲୟନ୍ସ ୧୦ ଓଭର୍‌ ବେଟିଙ୍ଗ କରି ୧୧୨ ରନ୍‌ ସଂଗ୍ରହ କରିଥିଲା । ଶିବ ଶଙ୍କରଙ୍କ ସୁନ୍ଦର ଖେଳ ପ୍ରଦର୍ଶନୀ ଅର୍ଦ୍ଧ ଶତକପାରି ଖେଳିଥିଲେ । ତହସିଲ ଟାଇଗର ଅଧିନାୟକ ଅରୁଣ କୁମାର ନାୟକଙ୍କ ଆକର୍ଷଣୀୟ ଧୂଆଁଧାର ବେଟିଙ୍ଗକୁ ପାଥେୟ କରି ୪ ୱିକେଟରେ ୧୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଏଡିଏମ୍ ଜେନେରାଲ ଲିନା କୁମାରୀ ଖେସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ୱିନର ଓ ରନର ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଛତ୍ରପୁର ପ୍ରେସ୍‌ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ର ମ୍ୟାନ୍‌ ଅଫ ଦି ମ୍ୟାଚ୍ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ ଗଞ୍ଜାମ କଲେଜ ଟିମ୍‌ର ଶିବ ଶଙ୍କରଙ୍କୁ ପ୍ରଦାନ କରାଯାଇଥିବା ବେଳେ ବେଷ୍ଟ ବୋଲର ଭାବେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ହକି ବିଶ୍ୱ କପ୍‌ର ପ୍ରଚାର ପ୍ରସାର ଓ ସଚେତନତା ପାଇଁ ସମସ୍ତ ଖେଳାଳି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଷ୍ଟାଡିୟମରୁ ବାହାରି ସହର ମୁଖ୍ୟ ରାସ୍ତା ପରିକ୍ରମା କରାଯାଇଥିଲା । ଗଂଜାମ ପ୍ରେସ୍‌ କ୍ଲବ ସଭାପତି ଶବର କୁମାର ତରାଇଙ୍କ ପୌରାହିତ୍ୟରେ ଉଦ୍‌ଘାଟନୀ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ଲକ ପ୍ରଶାସନ କ୍ରିକେଟ ଟିମ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ତହସିଲ ପ୍ରଶାସନ ଟିମ୍‌ର ତହସିଲଦାର ଅରୁଣ କୁମାର ନାୟକ, ଏନଏସି ପ୍ରଶାସନ ଟିମ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ପୋଲିସ ପ୍ରଶାସନ ଟିମ୍‌ର ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଗଞ୍ଜାମ କଲେଜ ଟିମ୍‌ର ଅଧ୍ୟାପକ ଡକ୍ଟର ଦୁର୍ଗାପ୍ରସାଦ ଦାସ, ଗ୍ରାସୀମ କମ୍ପାନୀ ଟିମ୍‌ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ପ୍ରେସ୍‌ କ୍ଲବ ଟିମ୍‌ର ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ନିଜ ନିଜ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଅଧିନାୟକମାନଙ୍କ ଉପସ୍ଥିତି ସହ ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୁରଜ, କାହ୍ନୁ ଓ ଗୋପାଳ ପ୍ରତ୍ୟେକ କ୍ରିକେଟ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମନରଞ୍ଜନ ବିଶୋଇ, ସ୍ୱେଚ୍ଛାସେବୀ ଦୀପକ କୁମାର ସାହୁ ଓ ପ୍ରେସ୍‌ କ୍ଲବ ସମ୍ପାଦକ ବିଦ୍ୟାଧର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଗଞ୍ଜାମ କଲେଜ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ଅଧ୍ୟାପକ ପିତାମ୍ବର ବେହେରା, ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ କୁମାର ଦାସ, ଯୁବନେତା ସୁଧିର କୁମାର ପାଢ଼ୀ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଉକ୍ତ ଟୁର୍ଣ୍ଣାମେଣ୍ଟ ଉପଭୋଗ କରିବା ସହ କ୍ରିକେଟରମାନଙ୍କୁ ଉତ୍ତମ କ୍ରିକେଟ ପ୍ରଦର୍ଶନ ନେଇ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.