ସେଲ୍ୟୁଟ୍‌ ଜିଲ୍ଲା ପ୍ରଶାସନ : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ ନାଚୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ ହସଖୁସିରେ ନାଚୁଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଦୁଆରୁ ଏବେ ନୂଆ ଜୀବନ ପାଇଛି । ଏଣୁ ଜିଲ୍ଲା ପ୍ରଶାସନକୁ ସେଲ୍ୟୁଟ୍‌ ଜଣାଇଛନ୍ତି ବୁଦ୍ଧିଜୀବୀମାନେ ।

ବଲାଙ୍ଗିର ସହରରେ ‘ଦୁଆରୁ’ ବେଶ୍‌ ଜଣାଶୁଣା । ଶୁଣିବାକୁ ମିଳେ, ଜଣେ ଭିକ ମାଗି ଜୀବନ ନିର୍ବାହ କରୁଥିବା ପାଗଳୀ ମହିଳାଙ୍କ ଅବୈଧ ଗର୍ଭରୁ ଜନ୍ମ ନେଇଥିଲା ଦୁଆରୁ । ଦୁଆରୁର ଶିଶୁ ଅବସ୍ଥାରେ କୌଣସି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସଂପୃକ୍ତ ପାଗଳୀ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁମୁର୍ଷୁ ଦୁଆରୁ ଚିକିତ୍ସା ପରେ ସୁସ୍ଥ ହୋଇଥିଲା । ଅଥଚ ସେହି ଦୁର୍ଘଟଣା ପରେ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥତା ପାଇ ପାରିନଥିଲା ଦୁଆରୁ । ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ନହେଲେ ବି ଦୁଆରୁ କେବେ କାହାକୁ ଅସମ୍ମାନ କରେ ନାହିଁ । ବଲାଙ୍ଗିର ସହର ଭିତରେ ବୁଲୁଥାଏ । ଯାହାକୁ ଦେଖେ, ହସି ହସି ‘ଆଜ୍ଞା ଜୁହାର୍‌’ କହେ । ଯିଏ ଯାହା ଦେଲେ, ଖାଏ । ଫୁଟ୍‌ପାଥ୍‌ରେ ଶୁଏ । ବଲାଙ୍ଗିର ସହର ଭିତରେ ସମସ୍ତେ ଜାଣନ୍ତି ଦୁଆରୁକୁ ।

ଏଭଳି ଏକ ଦିଶାହୀନ ଜୀବନକୁ ଘୋଷାଡ଼ି ଘୋଷାଡ଼ି ଦୁଆରୁ ବାର୍ଦ୍ଧକ୍ୟ ଅବସ୍ଥାରେ ପହଂଚିଥିବା ବେଳେ ଫୁଟ୍‌ପାଥ୍‌ର ଅନିୟମିତ ଜୀବନ ନିର୍ବାହ ଯୋଗୁଁ ସେ ରୋଗାଗ୍ରସ୍ତ ହୋଇ କିଛିଦିନ ତଳେ ରାସ୍ତାକଡ଼ରେ ପଡ଼ି ରହିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଆଠ ଦଶ ଦିନ ଧରି ଭିର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ ବି ଆଉ ଚାଲି ପାରୁ ନଥିଲା । ଗୁରୁଣ୍ଡି ଗୁରୁଣ୍ଡି ସହର ଭିତରେ ବୁଲୁଥିଲା । କିନ୍ତୁ ଏତିକି ବେଳେ ଦୁଆରୁ ପ୍ରତି ବିଶେଷ ଧ୍ୟାନ ଦେଇଥିଲା ଜିଲ୍ଲା ପ୍ରଶାସନ । ଦୁଆରୁକୁ ଉଦ୍ଧାର କରି ନିକଟସ୍ଥ ସାଲେପାଲି ବୃଦ୍ଧାଶ୍ରମରେ ତାକୁ ଉଚିତ୍‌ ଚିକିତ୍ସା ସହ ଥଇଥାନ କରାଯାଇଥିଲା । ପାଖାପାଖି ମାସେ ତଳେ ସାଲେପାଲି ବୃଦ୍ଧାଶ୍ରମରେ ପହଂଚିଥିବା ଦୁଆରୁ, ଏବେ ଚାଲି ପାରୁଛି । ମନଖୋଲି ହସିପାରୁଛି । କେବଳ ସେତିକି ନୁହେଁ, ଖୁସିରେ ନାଚୁଛି ଦୁଆରୁ । ସେ ନାଚୁଥିବା ସମୟର ଏକ ଭିଡ଼ିଓ ଦେଖିଲେ ଯେକେହି ବି ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସେଲ୍ୟୁଟ୍‌ କରିବ ।

Leave A Reply

Your email address will not be published.