ଡେଲାଙ୍ଗରେ ଧାନ ସଂଗ୍ରହ ଶୁଭାରମ୍ଭ ସମାବେଶ

  • ସଂସ୍ଥାପିତ ହେବ ୨ ଦିବଙ୍ଗତ ସମବାୟ ବ୍ୟାଙ୍କ ସଭାପତିଙ୍କ ପ୍ରତିମୂର୍ତ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସମବାୟ ବ୍ୟାଙ୍କ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖିଥିବା ଦିବଙ୍ଗତ ସଭାପତି ଓ ସାଂସଦ ପଦ୍ମଚରଣ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ପୁରୀ ବ୍ୟାଙ୍କ ମୁଖ୍ୟାଳୟ ପରିସରରେ ଓ ଦିବଙ୍ଗତ ସଭାପତି ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଡେଲାଙ୍ଗ ଶାଖା ପରିସରରେ ପ୍ରତିଷ୍ଠା କରାଯିବ ବୋଲି ପୂର୍ବତନ ବ୍ୟାଙ୍କ ନିର୍ଦ୍ଦେଶକ ବୈରାଗୀ ଜେନା ଧାନ ସଂଗ୍ରହ ଶୁଭାରମ୍ଭ ସମାବେଶରେ ଘୋଷଣା କରିଛନ୍ତି ।

ସମ୍ମିଳିତ ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମାବେଶରେ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାପତି ତଥା ସମବାୟ ସଂଗଠକ ବୈରାଗୀ ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସମ୍ମାନିତ ଅତିଥି କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ବ୍ୟାଙ୍କ ନିର୍ଦ୍ଦେଶକ ପର୍ଶୁରାମ ମହାପାତ୍ର, ଚିତ୍ରସେନ ନିଶଙ୍କ, ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମବାୟ ସମିତି ସମୁହ ଉପନିବନ୍ଧକ ଭୀମସେନ ସାହୁ, ଉପସହକାରୀ ନିବନ୍ଧକ ସତ୍ୟଶଙ୍କର ମହାନ୍ତି, ଶାଖା ପ୍ରବନ୍ଧକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଚାଷୀମାନଙ୍କ ସୁବିଧା ପାଇଁ ଡେଲାଙ୍ଗରେ ୨୩ ସମିତି ମଧ୍ୟରୁ ୨୨ ସମିତି ମାଧ୍ୟମରେ ଧାନମଣ୍ଡି ଖୋଲା ଯାଇଥିବା, ଧାନ ସଂଗ୍ରହ ସମୟରେ ଓଜନରେ କାଟ ନ କାଟିବା, ଶୁଖିଲା ସଫା ଧାନମଣ୍ଡିକୁ ଆଣିବା, ଧାନର ମୂଲ୍ୟ ଏକକାଳୀନ ବ୍ୟାଙ୍କ ଶାଖାରୁ ନ ଉଠାଇବା, ଯେଉଁ ସମିତିର ନିଜସ୍ୱ ଗୃହ ନାହିଁ ସେମାନେ ଜମି ଆହରଣ / ଅଧିଗ୍ରହଣ ପୂର୍ବକ ନିଜସ୍ୱ ଗୃହ ନିର୍ମାଣ କରିବା ଓ ସାର, ବିହନ ଆଦି ସୁବିଧାରେ ଚାଷୀଙ୍କୁ ଯୋଗାଇଦେବା, ଚାଷ ରୁଣ ନିୟମିତ ପରିଶୋଧ କରିବା ଓ ପୁନର୍ବାର ଗ୍ରହଣ କରିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ କରିଥିଲେ । ଏହି ଅବସରର ୨୩ ସମବାୟ ସମିତିର ନବ ନିର୍ବାଚିତ ସଭାପତି ଓ ୨୧ ସମିତି ସମ୍ପାଦକଙ୍କୁ ଫୁଲଚାରା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଧାନ କ୍ୱିଣ୍ଟାଲ ପ୍ରତି ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ୨୦୨୨-୨୩ ଖରିଫ ଧାନ ବିକ୍ରି ପାଇଁ ୨୨ ସମିତି ଜରିଆରେ ୪୨୮୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ସୁପରଭାଇଜର ବାସୁଦେବ ମହାନ୍ତି ସୂଚନା ଦେଇଥିଲେ ।

Leave A Reply

Your email address will not be published.