ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉଲ୍ଲେଖନୀୟ ଅଗ୍ରଗତି

  • ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ
  • ୨୯ ନୂଆ ହସ୍ପିଟାଲ୍ ପାଇଁ ଅନୁମୋଦନ
  • ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଜନା ବି.ଏସ୍‌.କେ.ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରିଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି ସଭାଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବିଲଗୁଡ଼ିକୁ ଅନୁମୋଦନ ଦେବାନ ପୂର୍ବରୁ ସମସ୍ତ ଦରକାରୀ ତଥ୍ୟ କଗ୍‌ଯାତ୍ ଓ ନିର୍ଦ୍ଧାରିତ ଦର ତାଲିକାକୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ । ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍‌ମାନଙ୍କ ସହ ଭିଡିଓ କନ୍ଫରେନସିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିକ୍ତ ଶାସନ ସଚିବ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଏସ୍‌କେୱାଇ ସଫ୍ଟଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍‌ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା । ଆଲୋଚନାରୁ ଜଣାପଡିଥିଲା ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ଟି ସୁପର ସ୍ପେଶାଲିଟି ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର । ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ । ଏହାଛଡ଼ା ଇତି ମଧ୍ୟରେ ରାଜ୍ୟରେ ଥିବା ଆଉ ୨୯ଟି ସ୍ପେଶାଲିଟି ହସ୍ପିଟାଲକୁ ତାଲିକା ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶାଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ । ଏହି ୨୯ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩କୁ ବୃଦ୍ଧି ପାଇବ ।

Leave A Reply

Your email address will not be published.