ଦୁବାଇରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶୁଭେଚ୍ଛା

  • ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଯ ଖଲିଫା ସମ୍ମୁଖରେ ଧନୁଯାତ୍ରା ପ୍ରଚାର

ବରଗଡ, (ନିରୋଜ କୁମାର ପାଣୀ) : ଦୁବାଇରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଝଲକ ଦେଖିବାକୁ ମିଳିଛି । ବରଗଡର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବକୁ ବିଶ୍ଵ ଦରବାରରେ ଆହୁରି ପ୍ରଚାର କରିବାକୁ ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଯ ଖଲିଫା ସମ୍ମୁଖରେ ଧନୁଯାତ୍ରା ବ୍ୟାନର ପ୍ରଦର୍ଶନ କରି ସେଠାକାର ସାଧାରଣ ଜନତା ଓ ଅନ୍ୟାନ୍ୟ ଦେଶର ପର୍ଯ୍ୟଟକଙ୍କୁ ଧନୁଯାତ୍ରା ମହୋତ୍ସବ ଉପରେ ପ୍ରଚାର କରିବା ସହ ସମସ୍ତଙ୍କୁ ବିଶ୍ଵର ଏହି ସର୍ବବୃହତ୍ ଖୋଲା ରଙ୍ଗମଞ୍ଚକୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି । ବରଗଡର ଦୁଇ ସଂସ୍ଥା ହେପି ବରଗଡ ଓ ଡିଏନଏମ ଫୋଟୋଗ୍ରାଫି ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଚାର ପ୍ରସାର କମିଟି ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ । ଦୁବାଇରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଦୁଇ ଜଣ ବରଗଡ଼ବାସୀ । ସାରା ବିଶ୍ୱରେ ବେଶ ପରିଚିତ ବୁର୍ଯ ଖଲିଫାରୁ ହେପି ବରଗଡ଼ ଟିମ୍‌ର ସହଯୋଗରେ ଡିଏନଏମ ଫୋଟୋଗ୍ରାଫି ଟିମ୍ ଓ ଦାଉଦ୍ ନୁର୍ ସନ୍ ମଲ୍ଲିକ ଏକ ଧନୁଯାତ୍ରା ବ୍ୟାନର ଧରି ସମସ୍ତ ବରଗଡ଼ ତଥା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଧନୁଯାତ୍ରାକୁ ବାସ୍ତବରେ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ହେଲେ ପ୍ରଥମେ ଆମକୁ ଏହାର ପ୍ରଚାର ପ୍ରସାର ଦେଶ ବିଦେଶରେ ମଧ୍ୟ କରିବାକୁ ହେବ, କେବଳ ବରଗଡ଼ କିମ୍ବା ଓଡ଼ିଶାରେ ଏହାର ପ୍ରଚାର ପ୍ରସାର ସୀମିତ ନ ରହୁ । ଆଜି ଦୁବାଇରେ କରିଛୁ ଆଗକୁ ଆହୁରି ଏଭଳି ପ୍ରୟାସ ଆରମ୍ଭ କରିବା ପାଇଁ ପଛାଇବୁ ନାହିଁ ବୋଲି କହିଛନ୍ତି ହେପି ବରଗଡର ପ୍ରତିଷ୍ଠାତା ପପୁନ ଷଡ଼ଙ୍ଗୀ । ଯଦି ସମ୍ଭବ ହେଉଛି ତେବେ ଆପଣମାନେ ଯେଉଁମାନେ ବିଦେଶରେ ରହୁଛନ୍ତି ବା ବିଦେଶ ଯାଉଛନ୍ତି ମଧ୍ୟ ସ୍ୱଇଚ୍ଛାରେ ଦେଶ ବିଦେଶରେ ପ୍ରଚାର ପ୍ରସାର କରିପାରିବେ ‌ବୋଲି କହନ୍ତି ଶ୍ରୀ ଷଡ଼ଙ୍ଗୀ । ବରଗଡ଼ ପାଇଁ ଆମେ ଡିଏଏମ ଟିମ୍ ଫୋଟୋଗ୍ରାଫି ଟିମ୍‌ର ଏଭଳି ସୁନ୍ଦର ପ୍ରୟାସ ଏକ ଛୋଟିଆ ଉପହାର ଧନୁଯାତ୍ରା ମହୋତ୍ସବ ସମିତି, ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସମସ୍ତ ବରଗଡ଼ବାସୀଙ୍କୁ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ହେପି ବରଗଡ ଓ ଡିଏନଏମ ଫୋଟୋଗ୍ରାଫି ଟିମ୍‌କୁ ଏଭଳି ଅଭିନବ ପ୍ରଚାର ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.