ହକି ପୁରୁଷ ବିଶ୍ୱ କପ୍-୨୦୨୩ : ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମାରାଥନ୍ ଆୟୋଜିତ
ବଲାଙ୍ଗିର, (କେପିଏନ୍ଏସ୍) : ହକି ପୁରୁଷ ବିଶ୍ୱ କପ୍-୨୦୨୩ ପାଇଁ ଏବେ ସାରା ଓଡ଼ିଶା ଚଳଚଂଚଳ ହୋଇ ପଡ଼ିଥିବା ବେଳେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳୁ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍ ଠାରୁ ଆରମ୍ଭ ହୋଇଥିବା ମିନି ମାରାଥନ୍କୁ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଏବଂ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଫ୍ଲାଗ୍ ଅଫ୍ କରି ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମଧ୍ୟ ଏହି ଫ୍ଲାଗ୍ ଅଫ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍ ତଥା ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଏହି ମାରାଥନ୍ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ତେବେ ଆଜି ଅପରାହ୍ନରେ ହକି ଟ୍ରଫି ବଲାଙ୍ଗିର ସହରର କୋଶଳ କଳାମଣ୍ଡଳରେ ପହଂଚି ଏକ ବିଶାଳ ଶୋଭାଯାତ୍ରା ସହ ଗାନ୍ଧୀ ଷ୍ଟାଡ଼ିଅମ୍ରେ ପହଂଚିବ ଏବଂ ଏଥିପାଇଁ ସେଠାରେ ଏକ ଭବ୍ୟ ସ୍ୱାଗତ ସମାରୋହର ଆୟୋଜନ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ହକି ବିଶ୍ୱ ଟ୍ରଫି ମଧ୍ୟାହ୍ନରେ ବଙ୍ଗୋମୁଣ୍ଡା ପହଂଚି ଟିଟିଲାଗଡ଼, ସଇଁନ୍ତଲା ଓ ଦେଓଗାଁରେ ଭବ୍ୟ ସ୍ୱାଗତ ଗ୍ରହଣ କରିବା ପରେ ଅପରାହ୍ନରେ ବଲାଙ୍ଗିର ସହରରେ ପହଂଚିବ ।