ସିନ୍ଧେକେଲା ପୋଲିସ ତରଫରୁ ସ୍ୱଚ୍ଛତା, ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପୋଲିସ ପ୍ରଶାସନ ତରଫରୁ ସିନ୍ଧେକେଲା ସହରରେ ସ୍ୱଚ୍ଛତା, ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ହାତରେ ଗ୍ଲୋଭସ୍‌ ଓ ମାସ୍କ ପରିଧାନ ଉପରେ ସଚେତନ କରିବାସହ ତାଙ୍କୁ ମାସ୍କ ଓ ଗ୍ଲୋଭସ୍‌ ଦିଆଯାଇଥିଲା । ପଲ୍ଲିଶ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସିନ୍ଧେକେଲା ଥାନାରୁ ବାହାରି ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ମଇଲା, ଆବର୍ଜନାକୁ ଝାଡୁ ମାରି ସଫା କରାଯାଇଥିଲା । ସିନ୍ଧେକେଲା ଆଇଆଇସି ବି ରୁଦ୍ରିଆଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଷ୍ଟାଫ୍‌ ଯୋଗ ଦେଇଥିବା ବେଳେ ପୋଲିସ ଷ୍ଟାଫ୍‌ ମଧ୍ୟ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ରାସ୍ତା କଡରେ ଥିବା ମଇଲା ଉଠାଇ ଟ୍ରାକ୍ଟରରେ ପକାଉଥିବା ଜନସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବା ଦେଖା ଯାଇଥିଲା । ପରେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଲୋକଙ୍କୁ ସିନ୍ଧେକେଲା ଯେହେତୁ ଏକ ପଞ୍ଚାୟତ ମୁଖ୍ୟାଳୟ ଅଟେ, ହେଲେ ପାରିପାର୍ଶ୍ବିକ ସ୍ଥିତି ଯୋଗୁଁ ଏହି ଗ୍ରାମର ମୁଖ୍ୟ ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି, ତେଣୁ ଘରୁ କିମ୍ବା ଦୋକାନମାନଙ୍କରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ମୁଖ୍ୟ ରାସ୍ତା ଉପରେ ନ ଫୋପାଡି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ ସୁବିଧା ଦେଖି ଗାଁ ବାହାରକୁ ନେଇ ପକାଇ ରାସ୍ତା ତଥା ଘର ପାଖକୁ ସଫା ସୁତୁରା ରଖିବା ପାଇଁ ସଚେତନ କରାଯାଇଥିଲା । ଛାତ୍ରଛାତ୍ରୀ ମଧ୍ୟ ବେଶ ଖୁସିରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖା ଯାଇଥିଲା । ଥାନା ପରିସରରେ ୫୦ଟି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟାଉନ ହାବିଲଦାର ସୁରେନ୍ଦ୍ର ବେହେରା, ଗୃହରକ୍ଷୀ ଅନିଲ ଷଡଙ୍ଗୀଙ୍କ ସହ ପୋଲିସ ଷ୍ଟାଫ୍‌ ଓ କଲେଜ ଷ୍ଟାଫ୍‌ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven + 8 =