କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବ ବୁଷ୍ଟର ଡୋଜ୍, ସଂକ୍ରମଣ ରୋକିବାକୁ ଓଡ଼ିଶା ପ୍ରସ୍ତୁତ : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ଵର, (କେପିଏନ୍ଏସ୍) : କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବ ବୁଷ୍ଟର ଡୋଜ୍ । ନଭେମ୍ଵର ୨୮ରୁ ସରକାରୀ ଟୀକାକରଣ ବନ୍ଦ ଅଛି । ଖୁବ୍ ଶୀଘ୍ର ଟୀକାକରଣ କେନ୍ଦ୍ର ଗୁଡ଼ିକୁ ଟୀକା ଯୋଗାଇବାକୁ ଅନୁରୋଧ କରିବୁ । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ ପାଣିଗ୍ରାହୀ ।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟୀକାକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟୀକା ଦିଆସରିଛି । ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୯୪ ପ୍ରତିଶତ ଲୋକ ଦ୍ଵିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୧ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ୨୫ ଲକ୍ଷ ଦ୍ଵିତୀୟ ଡୋଜ୍ ନେଇ ନାହାଁନ୍ତି ଏବଂ ୫୯ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି । ବର୍ତ୍ତମାନ ଟୀକା ଯୋଗାଣ ନାହିଁ । ଯେତିକି ଥିଲା ସରିଯାଇଛି । ସମସ୍ତ ପ୍ରକାରର ଟୀକା ସରିଯାଇଛି । ତଥାପି ଆମେ ସଜାଗ ଅଛୁ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ।
ରାଜ୍ୟରେ ୧୨ଟି ଘରୋଇ ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଉଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟୀକା ମଗାଯାଇଥିଲା । ପ୍ରିକସନ୍ ଡୋଜ୍ ନେଇଥିବା ଲୋକ ସୁରକ୍ଷିତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟୀକା ଦିଆଯାଇଛି । ନୂଆ ଭାରିଆଣ୍ଟକୁ କେବଳ ରୋକିପାରିବ ବୁଷ୍ଟର ଡୋଜ୍ ।