ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ୩୮ତମ ଦୁଇ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ରାଷ୍ଟ୍ରୀୟ ସଭାପତି ଡ଼. ସୋହନପାଲ ସୁମନାକ୍ଷର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. ସତ୍ୟନାରାୟଣ ଜଟିଆ ଯୋଗଦାନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲରେ କାର୍ଯ୍ୟରତ ତହସିଲଦାର ଡ଼. ଗୁଣମଣି ସୁନାନୀ ଦଳିତ ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଓ କୋଭିଡ ସମୟରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିଲେ । ସେହି ସମୟରୁ ସେ ବେଶ ଚର୍ଚ୍ଚାରେ ଆସୁଥିଲେ । ତେଣୁ ତାଙ୍କୁ ଏହି ଅବସରରେ ଡ଼. ଆମ୍ବେଦକର ସେବାଶ୍ରୀ ଜାତୀୟ ସମ୍ମାନରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନ ପାଇଁ ଡ଼. ସୁନାନୀଙ୍କ ନାମକୁ ଓଡିଶା ରାଜ୍ୟ ଶାଖା ସଭାପତି ଆଇନଜୀବୀ ଦୀପକ ରଞ୍ଜନ ବାଗ ଓ ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ଭବାନୀ ଶଙ୍କର ରାଓ ଚୟନ କରିଥିଲେ । ଉକ୍ତ ସେବାଶ୍ରୀ ସମ୍ମାନ ୨୦୨୨ ମସିହା ପାଇଁ ଓଡିଶାରୁ ଜଣେ ମାତ୍ର ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା । ଶ୍ରୀ ସୁନାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବିଭିନ୍ନ ବ୍ୟକ୍ତି ବିଶେଷ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସମ୍ବର୍ଦ୍ଧିତ କରାଯାଇଥିବାରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହ ତାଙ୍କ ନିଜ ଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।