ଡ଼ିଏସଆର ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟର ବାର୍ଷିକ ଉତ୍ସବ ପାଳିତ

• ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଟି. କ୍ରିଷ୍ଣାଙ୍କ ନୃତ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁରର ଅଗ୍ରଣୀ ସଂଗଠନ ଡ଼ିଏସଆର ନୃତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ରବିବାର ପାଳିତ ହୋଇଯାଇଛି । ଉକ୍ତ ସାଂସ୍କୃତିକ ସନ୍ଧ୍ୟାରେ ବ୍ରହ୍ମପୁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ନିର୍ବାହୀ ତଥା ଦକ୍ଷ ଅଭିନେତା ଟି. କ୍ରିଷ୍ଣା ମୋହନ ରେଡ୍ଡୀଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଏପରିକି ତାଙ୍କର ଆତିଥ୍ୟ ଏବଂ ନୃତ୍ୟ ପରିବେଷଣ କୁନିକୁନି କଳାକାରମାନଙ୍କୁ ଉତ୍ସାହିତ କରିବା ସାଂଗକୁ ଅଗଣିତ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ଏହା ଥିଲା ଉକ୍ତ ମଞ୍ଚର ମୁଖ୍ୟ ଆକର୍ଷଣ ବୋଲି ଆଲୋଚନାର ବିଷୟ ହୋଇଛି । ଉକ୍ତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆମ କଳା ଓ ଆମ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ଡ଼ିଏସଆର ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ ମୁଖ୍ୟ ଉଦ୍ୟକ୍ତାଙ୍କୁ ଏବଂ ଏହି ଅନୁଷ୍ଠାନର ଭୂମିକା ନେଇଥିବା ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା, ଛତ୍ରପୁର କାର୍ମେଲ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ଡୋରନ ପ୍ରମୁଖ ବହୁ ଗଣ୍ୟମାଣ୍ୟ ଅତିଥି ଯୋଗଦେଇ କୁନି କୁନି ନୃତ୍ୟଶିଳ୍ପୀଙ୍କୁ ଉତ୍ସାହିତ କରି ଅନେକ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ବର୍ଗର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମାନ କାହ୍ନୁ ରାଉତ ସଂଯୋଜନା କରିଥିଲେ । ଡ଼ିଏସଆର ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟର ଅନ୍ୟତମ ଉପଦେଷ୍ଟା ପ୍ରଶାନ୍ତ କୁମାର ପଟ୍ଟନାୟକ, ନୃତ୍ୟ ନିର୍ଦ୍ଦେଶକ ଏମ. ରବୀନ୍ଦ୍ର କୁମାର ରେଡ୍ଡୀ ଏବଂ ନୃତ୍ୟ ଶିକ୍ଷକ ଗୌତମ ନାୟକ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ କଳାକାରମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.