ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଖଲିଆପଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ସଂଖ୍ୟକ ପିତାମାତା ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷାର ବିକାଶ ନିମନ୍ତେ ତାଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଶାୟତ ଏଫ୍.ଏଲ୍.ଏନ୍, ଏଲ୍.ଆର୍.ପି. କାର୍ଯ୍ୟକ୍ରମ ବୁଝାଇବା ସହିତ ବାଳିକା ଶିକ୍ଷାର ବିକାଶ, ପିଲାଙ୍କ ନିୟମିତ ଉପସ୍ଥାନ ତଥା ପିଲାଙ୍କୁ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ଆହ୍ୱାନ ରଖିଥିଲେ । ପୁନଶ୍ଚ ୧୯୭୧ ମସିହାରେ ସ୍ଥାପିତ ଖଲିଆପାଲି ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ସମସ୍ତ ପିତା ମାତା ଓ ଗ୍ରାମବାସୀଙ୍କ ସହମତିରେ ନିଷ୍ପତ୍ତି ନିଆଗଲା । ବୈଠକରେ ୱାର୍ଡ ସଭ୍ୟ ବିଘ୍ନେଶ୍ୱର କୁମ୍ଭାର, ଶିକ୍ଷକ ଧିରେନ୍ଦ୍ର କୁମାର ସାହୁ, ଜ୍ୟୋତିର୍ମୟ ମିଶ୍ର, ସନ୍ତୋଷ କୁମାର ପାଇକଚନ୍ଦନ, ଶ୍ରୀମତି ସଙ୍ଗୀତା ସାହୁ, ପୁରାତନ ଛାତ୍ରୀ ଜୟକୁମାରୀ ତାଣ୍ଡି ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।