ଜିଲ୍ଲା ଦାବୀରେ ଆଜି କଂଟାବାଂଜିରେ ସଂପୂର୍ଣ୍ଣ ବନ୍ଦ ପାଳନ

  • ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
  • ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ନ କଲେ ଆନ୍ଦୋଳନକୁ ତିବ୍ରତର କରାଯିବ : ଜିଲ୍ଲା ସଂଘର୍ଷ ସମିତି

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନ୍‌ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରିଛି ଜିଲ୍ଲା ସଂଘର୍ଷ ସମିତି । ଏହି ଦାବୀ ପରିପ୍ରେକ୍ଷୀରେ ଗୁରୁବାର ଦିନ ସମସ୍ତ ସରକାରୀ, ବେସରକାରୀ, ବ୍ୟବସାୟୀକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନ ସହ ଶତାଧିକ ସଂଘ/କ୍ଲବର କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି । ଗୁରୁବାର ସକାଳ ପ୍ରାୟ ସାଢେ ଛଅଟାରୁ ପୂର୍ବ ଘୋଷଣା ମୁତାବକ ବନ୍ଦ ପାଳନକୁ ସହଯୋଗ କରିବା ପାଇଁ ସମର୍ଥନ ଲୋଡିଥିଲେ । ଏହାକୁ ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ଏପରିକି ସହରରେ ଥିବା ସରକାରୀ ଅଫିସ ମଧ୍ୟରେ ତହସିଲ ଅଫିସ, ସବ୍‌ ଟ୍ରେଜେରୀ ଅଫିସ, ସବ୍‌ ରେଜେଷ୍ଟ୍ରି ଅଫିସ, ପିଡବ୍ଲୁଡି ଡିଭିଜନ, ସବ୍‌ ଡିଭିଜନ, ଆର.ଡି. ସବ୍‌ ଡିଭିଜନ, ଫରେଷ୍ଟ ରେଂଜ ଅଫିସ, ସିଭିଲ କୋର୍ଟ, ସେଲ ଟ୍ୟାକ୍ସ ସହକାରୀ କମିଶନର ଅଫିସ, ପିଏଚ୍‌ଡି ଆରଡବ୍ଲୁ ଏସଏସ ସବ୍‌ ଡିଭିଜନ, ଇଲେକ୍ଟ୍ରିକ ସବ୍‌ ଡିଭିଜନ ଅଫିସ, ଏନ୍‌ଏସି ଅଫିସ ସହିତ ସମସ୍ତ ବ୍ୟାଙ୍କ ଏବଂ ବୀମା କାର୍ଯ୍ୟାଳୟ ସହିତ କେନ୍ଦ୍ର ସରକାରଙ୍କ ପୋଷ୍ଟ ଅଫିସ ଏବଂ ରେଲୱେର ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡିକୁ ପିକେଟିଙ୍ଗ ଜରିଆରେ ବନ୍ଦ କରାଯାଇଥିଲା । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଂପାଦକ ଦୁଃଖିଶ୍ୟାମ ଗୁରୁଙ୍କ ନେତୃତ୍ୱରେ ସହରର ଇଂଦିରା ଛକ ନିକଟରେ ରାସ୍ତା ରୋକ ପରେ ପର୍ଶୁରାମ ଛକ ନିକଟରେ ଏକ ସାଧାରଣ ସଭା ହୋଇଥିଲା । ଏହି ସଭାରେ ସହରର ସମସ୍ତ ଅନୁଷ୍ଠାନ ନିଜ ନିଜ ପ୍ଲାକାର୍ଡ ଏବଂ ଜିଲ୍ଲା ଦାବୀ ବ୍ୟାନର ଧରି ସାମିଲ ହୋଇଥିଲେ । ସଭାରେ ଜିଲ୍ଲା ଦାବୀ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଦାବୀକୁ ତିବ୍ରତର କରିବା ପାଇଁ ଶପଥ ନେଇଥିଲେ । ଏହି ସଭାରେ ଏନ୍‌ଏସି ଚ୍ୟାରମେନ ବରିୟାମ ସିଂ ସାଲୁଜା, ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଲକ୍ଷ୍ମଣ ବାଗ ସମର୍ଥନ କରି ଯୁକ୍ତିଯୁକ୍ତ ଦାବୀ ବୋଲି କହିଥିଲେ । କଂଟାବାଂଜି ଜିଲ୍ଲା ପାଇଁ ଭିତ୍ତିଭୂମି ଥିବା ବିଷୟରେ ଆଇନଜୀବୀ ସତ୍ୟନାରାୟଣ ରାଏ, ଯାଦବ ସମାଜ ଏନ୍‌ଏସି ସଭାପତି ବେଦବ୍ୟାସ ନାଗ ସହ ଅନ୍ୟ ସାମାଜିକ ଅନୁଷ୍ଠାନ ମଧ୍ୟ ମତ ରଖିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ଇଂଦିରା ଛକ, ଶାସ୍ତ୍ରୀ ଛକ, ଚୈତନ୍ୟ ପ୍ରଧାନ ଛକ, ରାଜୀବ ଛକ ଦେଇ ନଗର ପରିକ୍ରମା ପରେ ତହସିଲ ଅଫିସ ପଂହଚିଥିଲେ । ତହସିଲ ଅଫିସରେ ପହଂଚି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ସମିର ରଂଜନ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । କଂଟାବାଂଜି ଜିଲ୍ଲା ଦାବୀକୁ ଓଡିଶା ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି । ଯାହା ତହସିଲଦାର ବେହେରା ପ୍ରତିଶୃତି ଦେଇଛନ୍ତି । ଏହି ଦାବୀକୁ ଆଗାମୀ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କୌଣସି ସନ୍ତୋଷଜନକ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ଜିଲ୍ଲା ସଂଘର୍ଷ ସମିତି ଚେତାବନୀ ଦେଇଛି । ଜିଲ୍ଲା ସଂଘର୍ଷ ସମିତିର ଦାବୀକୁ ସହରର କୋଶଲ ମୁକ୍ତି ମୋର୍ଚ୍ଚା, ଏଲ୍‌ଡିଏ ହେମାଲ ସଂଘ, ଗଣ୍ଡା ସମାଜ ଚୌକିଦାରପଡା, ଯାଦବ ସମାଜ, ଶୁଣ୍ଢି ସମାଜ, ମାଲି ସମାଜ, ନୀଲଚକ୍ର ସପେଇ ଜାତୀୟ ସମାଜ, ଅଗ୍ରୱାଲ ସମାଜ, ମାରବାଡି ଯୁବା ମଂଚ, ଜୈନ ତେରାପନ୍ଥ ସମାଜ, ଡ୍ରାଇଭର ୟନିୟନ, ଟେମ୍ପୋ ୟନିୟନ, ଉଠାଦୋକାନୀ ସଂଘ, ଠେଲ ୟୁନିୟନ, କପଡା ବ୍ୟବସାୟୀ ସଂଘ, ମାର୍ଚ୍ଚେଂଟ ଆସୋସିଏସନ, କିରାନା ମାର୍ଚ୍ଚେଂଟ ଆସୋସିଏସନ, ପାନ ମସଲା ବ୍ୟବସାୟିକ ସଂଘ, ଫଳ ଦୋକାନୀ ସଂଘ, ହୋଟେଲ ମାଲିକ ସଂଘ, ସାମ୍ବାଦିକ ସଂଘ, ପ୍ରେସ କ୍ଲବ ସହ ଅନେକ ସଂଗଠନ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ଏସ.ଡି.ପି.ଓ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କ ନେତୃତ୍ୱରେ ଥାନା ଆଇଆଇସି, ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ, ଏସ୍‌ଆଇ ଖାଲକୋଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ ପରେ ଆନ୍ଦୋଳନସ୍ଥଳ ପର୍ଶୁରାମ ଛକକୁ ଯାଇ ନିର୍ଦ୍ଧାରିତ ସମୟ ସଂଧ୍ୟା ୬ଟା ଯାଏ ଆନ୍ଦୋଳନକୁ ବଳବତର ରଖିଥିଲେ । ଏହି ଆନ୍ଦୋଳନରେ ଜରୁରୀ କାଳୀନ ସେବା ବ୍ୟତୀତ ଚାରି ଚକିଆ ଯାନବାହାନ ଉପରେ କୌଣସି ପ୍ରତିବନ୍ଧକ ନ ଥିଲା ।

Leave A Reply

Your email address will not be published.