ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ

  • ଏହା ଏକ ବାସ୍ତବ ଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର – ମୁଖ୍ୟ ଶାସନ ସଚିବ
  • ପ୍ରତି ଜିଲ୍ଲାରେ ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମ୍ୟାଲୋରିଆ ନିରାକରଣ ଉପରେ ପର୍ଯ୍ୟବେସିତ ‘ଦମନ’ ଚଳଚ୍ଚିତ୍ର ଖୁବ୍‌ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚ୍ଚିତ୍ର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାନପ କରିବା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଲୋକେସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ପ୍ରଦର୍ଶିତ ‘ଦମନ’ ଚଳଚ୍ଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୁତି ବିଭାଗ ପକ୍ଷରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଗତକାଲି ଦମନ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚ୍ଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଓଡିଶା ଚଳଚ୍ଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ(କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ । ଆଗାମୀ ଦିନରେ ଏହା ସବୁ ନିର୍ଦ୍ଦେଶକ, ପ୍ରୟୋଜକ ଓ ଅଭିନେତା ମାନଙ୍କୁ ଉତ୍ସାହିତ କରିବ । କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରାୟୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଚଳଚ୍ଚିତ୍ର ଦେଖିଥିଲେ । ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.