ଦାବୀ ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ନୂଆପଡା, (ନିରାକାର ମେହେର) : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନକ୍ରମେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ରାଲି ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷକ ସଂଘ ସଭାପତି ଗଣେଶ ଚନ୍ଦ୍ର ଦୁବେ, ସମ୍ପାଦକ ପୁରୋଷୋତ୍ତମ ସଗରିଆଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇଥିଲେ । ବିଶାଳ ରାଲିରେ ଶିକ୍ଷକ ଶିକ୍ଷୟିତ୍ରୀ ସହର ପରିକ୍ରମା କରିବାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବୀ ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ । ନିକଟରେ ଚୁକ୍ତିଭିତ୍ତିକ ୫୭ ହଜାର ଚାକିରିକୁ ନିୟମିତ ଚାକିରି ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଦୁର୍ଭାଗ୍ୟର ବିଷୟ ପ୍ରାଥମିକ ଶିକ୍ଷକମାନଙ୍କୁ ସେଥିରେ ସାମିଲ କରାଯାଇ ନାହିଁ । ତୁରନ୍ତ ସାମିଲ କରିବା ପାଇଁ ଦାବୀ କରିଛନ୍ତି । ସେହିଭଳି ଅନ୍ୟାନ୍ୟ ରାଜ୍ୟରେ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉଥିବା ବେଳେ ଓଡିଶା ସରକାର ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । କେନ୍ଦ୍ରୀୟ ହାର ଦରମା ତୁରନ୍ତ ଲାଗୁ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି । ସେହିପରି ନୂତନ ପେନସନ୍‌ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ୍‌ ଯୋଜନାକୁ ବଳବତ୍ତର ରଖାଯାଉ ବୋଲି ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି । ଦାବୀ ପୂରଣ ନହେଲେ ଚଳିତ ମାସ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସଂଘ ଚେତାବନୀ ମଧ୍ୟ ଦେଇଛି ।

Leave A Reply

Your email address will not be published.