jayashree

ବରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ବସା ଯାଇଥିବା ଫାଶରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର ଆହତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ବିନିକା ଥାନା ଅଧୀନସ୍ଥ ସିଲାଟି ଗ୍ରାମରେ ବରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ବସା ଯାଇଥିବା ଫାଶରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପ୍ରଚାର ହେବାପରେ ଗ୍ରାମରେ ଉତ୍ତେଜନା ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ସଂନ୍ଧ୍ୟାରେ ଶୌଚ ପାଇଁ ମାମୁଁ ଓ ଭଣଜା ଏକ ବାଇକରେ ଚଉକି ନାଳକୁ ଶୌଚ ପାଇଁ ଯାଉଥିଲେ । ସିଲାଟି ଗାଁର ଏକ ପୋଲ ପାଖରେ ବରହା ମାରିବା ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ ତାରର ଫାସରେ ଅଚାନକ ବାଇକଟି ଲାଗି ଯିବାରୁ ଉଭୟେ ଛିଟିକି ପଡ଼ିଥିଲେ । ୧୭ ବର୍ଷ ବୟସ୍କ ମୃତ ଭଣଜା ତ୍ରିଲୋଚନ ସାଥୁଆ ବରଗଡ଼ ଜିଲ୍ଳା ଭେଡ଼େନ ଥାନା ସାଲେପାଲି ଗ୍ରାମର ହୋଇଥିବା ବେଳେ ମାମୁଁ ମନୋଜ ବଣିଆ ବିନିକା ଥାନା ସିଲାଟି ଗ୍ରାମର ବୋଲି ଜଣାପଡ଼ିଛି । ଗ୍ରାମବାସୀ ଉଭୟ ସଙ୍କଟାପନ୍ନଙ୍କୁ ମଟରସାଇକେଲରେ ବିନିକା ଡ଼ାକ୍ତରଖାନାକୁ ଆଣିଥିଲେ । ବିନିକା ଡ଼ାକ୍ତର ଖାନାରେ ଭଣଜା ତ୍ରିଲୋଚନକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମାମୁଁ ମନୋଜ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତ୍ରିଲୋଚନା କିଛି ଦିନ ହେବ ମାମୁଁ ଘର ସିଲାଟିକୁ ନିଜ ଗ୍ରାମରୁ ବୁଲିବାକୁ ଆସିଥିଲେ । ଏହି ଘଟଣା ପ୍ରଚାର ହେବାପରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ବିନିକା ଅଞ୍ଚଳରେ ବରହା ଶିକାରୀ ଦୀର୍ଘବର୍ଷ ହେବ ମାତିଥିବା ଜନସାଧାରଣ ଅଭିଯୋଗ କରି ଆସୁଛନ୍ତି । ପୂର୍ବରୁ ଏହିପରି ବିଭିନ୍ନ ଜାଗାରେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରୁଥିଲେ ମଧ୍ୟ ଏଥିପ୍ରତି ବନବିଭାଗ, ପୁଲିସ ବିଭାଗ ନା ବିଦ୍ୟୁତ ବିଭାଗ ତତ୍ପରତା ପ୍ରକାଶ କରିନାହାନ୍ତି । ଖବର ପାଇ ବିନିକା ପୁଲିସ ବିନିକା ଡ଼ାକ୍ତରଖାନକୁ ପହଞ୍ଚି ତଦନ୍ତ ଜାରି ରଖିଛି । ଅପରାଧୀକୁ ତୁରନ୍ତ ଧରିବାକୁ ବିନିକା ପୁଲିସ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.