୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ସିନାପାଲିରେ ଭବ୍ୟ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲିରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଉପଲକ୍ଷେ ରବିବାର ସ୍ଥାନୀୟ ଯଜ୍ଞସ୍ଥଳରେ ଭବ୍ୟ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାରଙ୍କ ତତ୍ୱାବଧାନ ଏବଂ ସିନାପାଲି ଗାୟତ୍ରୀ ଶକ୍ତିପୀଠର ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ଆଧ୍ୟାତ୍ମିକ ସମାବେଶରେ ତିନି ହଜାର ଦମ୍ପତ୍ତିଙ୍କ ସମେତ ଓଡ଼ିଶା ଏବଂ ଛତିଶଗଡ଼ ଅଂଚଳରୁ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗାୟତ୍ରୀ ଯଜ୍ଞରେ ଏତେ ସଂଖ୍ୟାରେ ଦେବଦମ୍ପତ୍ତି ସମାବେଶ ହେବା ବିଶ୍ୱରେ ପ୍ରଥମ ବୋଲି ଗାୟତ୍ରୀ ପରିବାର ତରଫରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଶାନ୍ତିକୁଞ୍ଜ ହରିଦ୍ୱାରର ଅର୍ନ୍ତରାଷ୍ଟ୍ରୀୟ କଥା ପ୍ରବଚକ ଶ୍ୟାମ ବିହାରୀ ଦୂବେ, ଓଡ଼ିଶା ପ୍ରଭାରୀ ଶେଷଦେବ ବଢ଼େଇ, ଦେବସଂସ୍କୃତି ବିଶ୍ୱବିଦ୍ୟାଳୟ ହରିଦ୍ୱାର ପ୍ରତିନିଧି ଖଗପତି ମେହେର ପ୍ରମୁଖ ଯୋଗ ଦେଇ ଭୂମିପୂଜନ କାର୍ଯ୍ୟ ବିଧି ଅନୁଯାୟୀ ସଂଚାଳନ କରିଥିଲେ । ବିଧି ଅନୁଯାୟୀ, ପୂଜା ଆରାଧନା ପରେ ଯଜ୍ଞ ନିମନ୍ତେ ଭୂମିପୂଜନ କରାଯାଇଥିଲା । ଉପସ୍ଥିତ ଦେବଦମ୍ପତ୍ତି ସଫଳ ଜୀବନ ନିମନ୍ତେ ସଂକଳ୍ପ କରିଥିଲେ । କଳାହାଣ୍ତି ସାଂସଦ ବସନ୍ତ ପଣ୍ତା, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମେତ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ଏଭଲି ଭବ୍ୟ ମହାଯଜ୍ଞ ଏ ଅଂଚଳ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି ଅବିହିତ କରିଥିଲେ । ଏଥିସହ ସଂସ୍କାରିତ ଦମ୍ପତ୍ତି ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ବୋଲି ଏ ଅବସରରେ ଉପସ୍ଥିତ ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରଜ୍ଞାପୁରୁଷ ଏବଂ ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାଯଜ୍ଞ ସମିତିର ସଭାପତି ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ୱାଗତ କରି ସମ୍ମିଳନୀର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଭୂମିପୂଜନ ପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.