ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ଆସନ୍ତା ନଭେମ୍ବର ୭ ତାରିଖ ଦିନ ଛେଣ୍ଡ ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ ହେବ । ଏନେଇ ପରିଷଦର ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଅଭୟ କୁମାର ଦାସ, ସାଂସ୍କୃତିକ ସଂପାଦକ ତାପସ ରାଉତରାୟ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଚଳିତ ବର୍ଷ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ମହାସମାରୋହରେ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଭାଷା, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରାଯିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶିକ୍ଷା ପଦ୍ଧତିରେ ସଂସ୍କୃତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉ ନଥିବାରୁ ଏଭଳି କାର୍ଯ୍ୟକ୍ରମ କରାଯିବା ଜରୁରୀ ହୋଇପଡିଛି । ତେବେ ବୋଇତବନ୍ଦାଣ ଉତ୍ସବ ପାଇଁ ପୁଷ୍କରିଣୀ ଅଭାବ ପରିଲକ୍ଷିତ ହେଉଥିବାରୁ ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା । ଚଳିତ ବର୍ଷ କଳିଙ୍ଗ ବିହାର ମହିଳା ସମିତି ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକରୁ ସୁନାମଧନ୍ୟ ଗାୟକ ଆର ଏସ କୁମାର, ଦିପ୍ତୀରେଖା, ସନତ କୁମାର ଓ ଅଭିନେତା ବାବୁସାନ ମୁଖ୍ୟ ଆକର୍ଷଣ ଥିବାବେଳେ ଓଡିଶୀ ନୃତ୍ୟ ସହ ବଂଶୀ ବାଦନ କରାଯିବ । ଏହି କାର୍ଯ୍ୟକ୍ରମରେ ଅଂଚଳବାସୀ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଅକ୍ଷୟ ନାୟକ, ସୁଦାମ ଦାଶ, ସରୋଜ ଦାସ, ନିହାର ରାଉତରାୟ, ସୋମେନ ରାୟ, ମଣ୍ଟୁ ପାଢୀ, ଜର୍ଜ ଆନନ୍ଦ, ପ୍ରଶାନ୍ତ ନାୟକ, ଗଣେଶ୍ୱର ଭୂୟାଁ, ମୋହନ ଡାକୁଆ, ମଦନମୋହନ ଧଳ, ରାଜେନ୍ଦ୍ର ରଥ, ସୁକାନ୍ତୀ ମହାରଣା, ବିଷ୍ଣୁପ୍ରିୟା ରାଉତରାୟ, ମମତା ଦାସ, ମୀନତି ମଲ୍ଲିକ, ପ୍ରମିଳା ପାଣି, ରୋଜି ଦାସଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।