ଜରା ନିବାସରେ ଦୀପାବଳୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଜଗତର ମଙ୍ଗଳ କାମନା କରି ସାମୁହିକ ଦୀପାବଳୀ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଓ ସମ୍ମାନିତ ଅତିଥି ଭାବେ ମାୟାବର୍ହା ହାଇସ୍କୁଲର କାର୍ଯ୍ୟରତ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ, ବରିଷ୍ଠ କଳାକାର ରାମଶଙ୍କର ଶତପଥୀ, ଯୁବ ସମାଜସେବୀ ନିତ୍ୟାନନ୍ଦ ଷଡଙ୍ଗି, ଶିକ୍ଷକ ମଣ୍ଟୁ ସାମଲ ଯୋଗ ଦେଇଥିଲେ । ସମାଜର ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହିତ ବିଶେଷ ଭାବରେ ବୃଦ୍ଧ ଓ ଶିଶୁମାନଙ୍କର ଆବେଗିକ ବିକାଶର ସନ୍ତୁଳନ ପାଇଁ ସେବା ଓ ଯତ୍ନ ନେବାର ଆବଶ୍ୟକତା ଅଛି ବୋଲି ମୁଖ୍ୟଅତିଥି ଶ୍ରୀ ବିଶ୍ୱାଲ ମତପ୍ରକାଶ କରିଥିଲେ । ଦୀପାବଳୀ ପାଇଁ ଜରା ନିବାସକୁ ଆମ୍ବତୋରଣ, ମୁରୁଜ, ଦୀପ ଲଗାଇ ସୁସଜ୍ଜିତ କରାଯାଇଥିଲା । ପ୍ରଥମରେ ଅନ୍ତବାସୀମାନଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ପାଇଁ ହାତଧୁଆର ପ୍ରଣାଳୀକୁ ମୀନକେତନ ଡାଙ୍ଗ ଡେମୋନ୍‌ଟ୍ରେସନ ମାଧ୍ୟମରେ କରି ବୁଝାଇଥିଲେ । ଭାବ ବିନିମୟ ପାଇଁ ସର୍ବ ଧର୍ମ ପ୍ରାର୍ଥନା ଓ ସଂଗୀତ ଗାନ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ତେବାସୀ ମଗଶିର ବେହେରା, ଦିଲିପ ସାହୁ, ଲକ୍ଷ୍ମୀ ବେରୁଆ ପ୍ରମୁଖ ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା । ଶିଶୁ ଓ ମହିଳା ବିକାଶ ସୋସାଇଟିର ଚେୟାରମେନ ମେଜର ଡ. କଳ୍ପନା ଦାଶଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିବା ବେଳେ ସୋସାଇଟିର ବଲାଙ୍ଗିର ଜିଲ୍ଲା ସହସଂଯୋଜକ ଚନ୍ଦ୍ରଶେଖର ସେଠ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରମାକାନ୍ତ ସାହୁ, ଚତୁର୍ଭୁଜ ମେହେର, ମଞ୍ଜୁ ବିଶ୍ୱାଲ ପ୍ରମୁଖ ବିଶେଷ ଭାବରେ ସହଯୋଗ କରିଥିଲେ । ଶେଷରେ ବୟୋଜ୍ୟେଷ୍ଠ ନାଗରିକ ଆବାସର କାର୍ଯ୍ୟରତ ନିର୍ବାହୀ କର୍ମୀ ଶିବ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.