ଗୁରୁଶିଷ୍ୟଙ୍କ ଅନନ୍ୟ କାର୍ଯ୍ୟକ୍ରମ ଦୀକ୍ଷାନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଙ୍ଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ତରଫରୁ ରୁମୁକୁ ଝୁମାନା, ସେଲେଡି ଆନୁକୂଲ୍ୟରେ ଜିଲ୍ଲାର ଅବଲୁପ୍ତ ଲୋକ ସଂସ୍କୃତିର ପୁନଃରୁଦ୍ଧାର ପୂର୍ବକ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଗୁରୁ ଶିଷ୍ୟ ପରମ୍ପରାର ଏକ ଅଭିନବ ପ୍ରୟାସ ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାର ଲୁପ୍ତ ପ୍ରାୟ ଲୋକ କଳା ଓ ସଂସ୍କୃତି ପରଭା ନୃତ୍ୟକୁ ଲୋକକଳା ଗ୍ରାମ କର୍ତ୍ତଙ୍ଗର ପରଭା ଲୋକ ନୃତ୍ୟ ଗୁରୁ ଶ୍ୟାମ ସୁନ୍ଦର ପାତ୍ରଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନିମନ୍ତେ ଶିଷ୍ୟ ବୃନ୍ଦ ଦୀକ୍ଷାନ୍ତ ଗ୍ରହଣ କରିଛନ୍ତି । ଦୀକ୍ଷାନ୍ତ କାର୍ଯ୍ୟକ୍ରମ ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଗବେଷକ ତଥା ପଇଁରୀ ଅନୁଷ୍ଠାନ ସୋନପୁରର ସମ୍ପାଦକ ଚୌଧୁରୀ ବିଭାର, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ରବି ରତନ ସାହୁ, ଦଣ୍ଡ ସମ୍ରାଟ ରସିକ ସାହୁ, ସଂସ୍କୃତି ପ୍ରେମୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପରଭା ଗୁରୁ ଶ୍ୟାମ ସୁନ୍ଦର ପାତ୍ର ଓ ବିଗୁଲ ଟିଭି ପ୍ରତିଷ୍ଠାତା ସନ୍ତୋଷ ମିଶ୍ର ପ୍ରମୁଖ ଯୋଗଦାନ କରି ଲୋକ ସଂସ୍କୃତି ଓ ପରମ୍ପରାର ପୁନଃରୁଦ୍ଧାର ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଲୋକ କଳା ଗ୍ରାମର ଦିଗାଲ ପାତ୍ର ଓ ସାଥୀଙ୍କ ଦ୍ୱାରା ପରଭା ଲୋକ ନୃତ୍ୟକୁ ଉପସ୍ଥିତ ଦର୍ଶକ ଉପଭୋଗ କରିବା ସହ କଳାକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ଆକାଶବାଣୀ କଳାକାର ନିରାକାର ଦେହୁରୀ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ ବେହେରା, ଭଜମନ ସାହୁ, ସଂକୀର୍ତ୍ତନ୍ୟ ଗୁରୁ ବିଜୟ ପଧାନ, ସୋମନାଥ ଅମାତ, ଲକ୍ଷ୍ମଣ ସାଣ୍ଢ, ମଦନ ବାଗ, ଗୁଲେକ ବାଗ, ବସନ୍ତ ଥପା, ବେଦବର ପାତ୍ର, ମଙ୍ଗୁଲୁ, ନନ୍ଦୀ ପ୍ରମୁଖ ବହୁ କଳାକାର, କଲାପ୍ରେମୀ, ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.