ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ହୋଟେଲ ମାଲିକ ସଂଘର ଆଲୋଚନା

  • ‘ହରିଶଙ୍କର ରୋପୱେ ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ବଲାଙ୍ଗିର ଜିଲ୍ଲା ହୋଟେଲ ମାଲିକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରତିନିଧି ଦଳ ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ପଦକ୍ଷେପ ନେବାକୁ ଆଲୋଚନା କରିଥିବା ଜଣାପଡିଛି । ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଓ ବରଗଡ ଜିଲ୍ଲାର ନୃସିଂହନାଥ ମନ୍ଦିର ମଧ୍ୟରେ ରୋପୱେ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ଏହା ବାତିଲ ହୋଇଯାଇଥିବା ଜଣାପଡିଛି । ଯାହାକୁ ନେଇ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିରୋଧ, ଧାରଣା ପ୍ରଦର୍ଶନ କରାଯାଇଥିଲା । ହରିଶଙ୍କର-ନୃସିଂହନାଥ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ହେଲେ ସଡକ ପଥରେ ୬୦ କିଲୋମିଟର ଅତିକ୍ରମ କରିବାକୁ ପଡେ । ରୋପୱେ କରାଗଲେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏଥିସହିତ ୨ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ବିଭିନ୍ନ କ୍ଷେତ୍ରର ଅର୍ଥନୈତିକ ଉନ୍ନତିକରଣ ହେବ । ବଲାଙ୍ଗିର ଜିଲ୍ଲା ହୋଟେଲ ମାଲିକ ସଂଘର ସଭାପତି ଜୟପ୍ରକାଶ ପୁରୋହିତ, ସଂପାଦକ ରବି ରଞ୍ଜନ ପୂଜାରୀ, ବରିଷ୍ଠ ସଦସ୍ୟ ଅଶୋକ ପାଢୀ, ରାମ ଦାଶ ପ୍ରମୁଖ ପୁରୀର ଏକ ଘରୋଇ ହୋଟେଲରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ସଚିନ ଆର୍‌ ଯାଦବଙ୍କୁ ସାକ୍ଷାତ କରି ରୋପୱେ ସଂପର୍କରେ ଆଲୋଚନା କରି ଉପରୋକ୍ତ ମତ ରଖିଥିଲେ । ପ୍ରମୁଖ ସଚିବ ଶ୍ରୀ ଯାଦବ ରୋପୱେ ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ପ୍ରସ୍ତାବ ଅନୁମୋଦିତ ହେଲେ ରୋପୱେ କାମ ତ୍ୱରାନ୍ୱିତ ହେବ ବୋଲି ପ୍ରତିନିଧି ଦଳଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ହୋଟେଲ ମାଲିକ ସଂଘର ପ୍ରତିନିଧି ଦଳ ହରିଶଙ୍କର, ରାଣୀପୁର ଝରିଆଲରେ ଥିବା ଚଉଷଠୀ ଯୋଗିନୀ ପୀଠ ତଥା ଅନ୍ୟାନ୍ୟ ମନ୍ଦିରର ବିକାଶ, କିଛି ଅନାଲୋଚିତ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରାଗଲେ ପର୍ଯ୍ୟଟକମାନେ ଆକୃଷ୍ଠ ହୋଇପାରନ୍ତେ ବୋଲି ମତ ରଖିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ହରିଶଙ୍କରର ଉନ୍ନୟନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ କୋଟି ଟଙ୍କା ମଞ୍ଜୁର ହୋଇସାରିଥିବା ସୂଚନା ଦେଇଥିଲେ । ଆଉ ୨୦୨୩ ମଧ୍ୟରେ ଏହି ବିକାଶ କାମ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ସେହିପରି ବିଦ୍ୟୁତ ଯୋଗାଣ ସହ ଅନ୍ୟାନ ସମସ୍ୟା ସଂପର୍କରେ ହୋଟେଲ ମାଲିକ ସଂଘ ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହିକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଯାଦବ କମ୍‌ ଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଗସ୍ତ କରି ପର୍ଯ୍ୟଟନ କ୍ଷେତ୍ରର କାମ ତଦାରଖ କରିବେ । ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନ୍ୟ କୌଣସି ସ୍ଥାନ ଥିଲେ ସେହି ଅଞ୍ଚଳ ଦେଖି ତା’ ପାଇଁ କ’ଣ ପଦକ୍ଷେପ ବିଭାଗ ନେଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିବା ସଂଘର ସଂପାଦକ ଶ୍ରୀ ପୂଜାରୀ ଜଣାଇଛନ୍ତି ।

Leave A Reply

Your email address will not be published.