ରାଉରକେଲା, (ସସ୍ମିତା ପ୍ରଧାନ) : ଗତ କିଛିଦିନ ଭିତରେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ଘଟଣା ବୃଦ୍ଧି ପାଇଥିବା ବେଳେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ତା’ଛଡା ଏଥିପାଇଁ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ସେ ଦାୟୀ କରିଥିବା ବେଳେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଶାସନତନ୍ତ୍ର ଠାରୁ ସମ୍ବିଧାନ ଯାଏ ସମସ୍ତେ ଆଖି ବୁଜିଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଏଚ୍ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକଙ୍କ ଧନ ଜୀବନର ସୁରକ୍ଷା ହେଉଛି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ତେବେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ହତ୍ୟା କରୁଥିଲେ ସୁଦ୍ଧା ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଯିବା ନିଶ୍ଚିତ ଭାବରେ ଚିନ୍ତାଜନକ । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ବିଗତ ଦୁଇମାସ ମଧ୍ୟରେ ୧୧ ଜଣ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ବେଳେ ୩୨ଟି ଘରକୁ ପଥର ଫିଙ୍ଗି ଆକ୍ରମଣ କରାଯାଇଛି । ଯାହାଦ୍ଵାରା ସେଠାରେ ବସବାସ କରୁଥିବା ହିନ୍ଦୁମାନେ ପ୍ରାଣ ବିକଳରେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଅତିଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହିତ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ କୁସୁମ ଦାବୀ କରିଛନ୍ତି ।
Prev Post