ରାଉରକେଲା, (ସସ୍ମିତା ପ୍ରଧାନ) : ଅମର ଷ୍ଟୁଡିଓ ଏବଂ ନବୀନ ଭଣ୍ଡାରୀଙ୍କ ନିର୍ମିତ ସୁରେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ସ୍ୱାଦର ଓଡିଆ ସିନେମା ‘ତୃଷ୍ଣା’ର ପ୍ରିମିୟର ସୋ ଓଡିଶାର ବିଭିନ୍ନ ସିନେମା ହଲ୍ରେ ହୋଇଥିବା ବେଳେ ରାଉରକେଲାର ସିନେପ୍ଲେକ୍ସ(ରଜାକ ଟକିଜ) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ପାରିବାରିକ ତଥା ମାନସିକ ଅବସାଦ ଓ ଏଥିରୁ ମୁକୁଳିବା ଉପରେ ପର୍ଯ୍ୟବେଶିତ । କାହାଣୀରେ କିଭଳି ଯୁବଗୋଷ୍ଠୀ ସିନେମାରେ ହିରୋ ହେବାପାଇଁ ବିଭିନ୍ନ ଉପାୟ ଆପଣାଇବା ସହ କାହାଣୀକୁ ଲେଖିଥିବା ଲେଖକର ସିନେମା ଜଗତରେ କେହି ଗଡଫାଦର ନଥିଲେ, କିପରି କୋଣଠେସା ହୋଇଥାଏ, ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ପଥରେ କିପରି ଅନ୍ତରାୟ ସୃଷ୍ଟି ହୁଏ ତଥା ଅଭିନୟକୁ ଜୀବନର ସବୁକିଛି ଭାବୁଥିବା ଅଭିନେତା କିପରି ପରିବାର ଠାରୁ ଦୂରେଇ ମାନସିକ ଅବସାଦରେ ବୁଡି ରହିଛନ୍ତି ଓ ସେଥିରୁ କିପରି ମୁକୁଳିଛନ୍ତି ତାହାହିଁ ଚଳଚ୍ଚିତ୍ରରେ ନିଖୁଣ ଭାବେ ଦର୍ଶାଯାଇଛି । ଗତାନୁଗତିକ ଧାରାରୁ ଅଲଗା ହୋଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାରୁ ଦର୍ଶକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚଳଚ୍ଚିତ୍ରକୁ ସଂଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ସାଉଣ୍ଡ ସ୍ପେସାଲିଷ୍ଟ ଭାବେ ରାଉରକେଲାର ସୂରଜ ସାମଲ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ପ୍ରିମିୟର ସୋ ବେଳେ ସହ ଅଭିନେତ୍ରୀ ଜ୍ୟୋତି ଉପସ୍ଥିତ ଥିଲେ । ‘ତୃଷ୍ଣା’ ଚଳଚ୍ଚିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ ରାଉତରାୟ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କୃଷ୍ଣପ୍ରିୟା ଓ ବିଶ୍ୱଜିତ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ନୂତନ ସ୍ୱାଦର ହୋଇଥିବାରୁ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ବହୁ ସିନେପ୍ରେମୀ ମତ ଦେଇଛନ୍ତି ।