centurian jitm

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

nschool
  • ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ କେରିଅର ଗଠନ କରିବା ପାଇଁ ଏକ ଅପୂର୍ବ ସୁଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ୧୭ ବର୍ଷରୁ କମ୍‌ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଝିଅମାନଙ୍କ ନିମନ୍ତେ କେରିଅର ଗଠନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିପାରିବ ବୋଲି କହିବା ସହ ଖେଳ ଦ୍ୱାରା ଜଣେ ଶାରୀରିକ ଓ ମାନସିକ ସ୍ତରରେ ସ୍ୱାସ୍ଥ୍ୟବାନ ହୋଇ ଦେଶ ବିକାଶରେ ସହାୟକ ହୋଇପାରିବ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆଞ୍ଚଳିକ ନିର୍ଦେଶକ ସ୍କୁଲ ଓ ଗଣଶିକ୍ଷା, ସମ୍ବଲପୁର ବିକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡ଼ତିଆ, ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଅତିରିକ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଟୁର୍ଣ୍ଣାମେଣ୍ଟକୁ ପତାକା ଉତ୍ତୋଳନ ପୂର୍ବକ ଶୁଭାରମ୍ଭ କରିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ”ଯୋଜନାରେ ପ୍ରଦତ୍ତ ଫୁଟବଲ ଗୁଡିକୁ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ ଅତିଥି ବୃନ୍ଦ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବାଙ୍କୀପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ସଂଜୀବ ସାହୁ । ଉଦ୍‌ଘାଟନୀ ଫୁଟବଲ ମ୍ୟାଚ ବାଳିକା ବର୍ଗରେ ବୀରମହାରାଜପୁର ବ୍ଲକ ଓ ସୋନପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଳକ ବର୍ଗରେ ଉଲୁଣ୍ଡା ବ୍ଲକ ଓ ବୀରମହାରାଜପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାଳିକା ବର୍ଗରେ ବୀରମହାରାଜପୁର ବ୍ଲକ ୨-୦ ଗୋଲରେ ସୋନପୁରକୁ ଏବଂ ବାଳକ ବର୍ଗରେ ଉଲୁଣ୍ଡା ବ୍ଲକ ଟ୍ରାଇବ୍ରେକରରେ ୪-୨ ଗୋଲରେ ବୀରମହାରାଜପୁର ବ୍ଲକ ବାଳକ ବର୍ଗଙ୍କୁ ପରାଜିତ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୨/୧୦/୨୨ରୁ ଆରମ୍ଭ ହୋଇଥିବା ବେଳେ ତା ୧୭/୧୦/୨୨ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ମ୍ୟାଚ ସକାଳ ୯ ଘଣ୍ଟାରୁ ଆରମ୍ଭ ହେବ । ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପଡିଆ ପରିଚାଳକ ଖେଳ ଶିକ୍ଷକ ରଘୁନାଥ ଥନାପତିଙ୍କ ତତ୍ୱାବଧାନରେ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, କଲିମ ମହମଦଙ୍କ ସହଯୋଗରେ ପରିଚାଳିତ ହେଉଛି । ଏଥିରେ ଜିଲ୍ଲାର ୬ଟି ବ୍ଲକରୁ ବାଳିକା ବର୍ଗରେ ୬ଟି ଦଳ ଏବଂ ବାଳକ ବର୍ଗରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଉଦ୍‌ଘାଟନ ସମାରୋହରେ ଆଜି ସମସ୍ତ ବ୍ଲକସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲର ଖେଳ ଶିକ୍ଷକ, ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ସୋନପୁର ମହାରାଜ ହାଇସ୍କୁଲର ଛାତ୍ରମାନଙ୍କ ବ୍ୟାଣ୍ଡ ବାଦନ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁରର ଛାତ୍ରୀମାନଙ୍କ ସ୍ୱାଗତ ସଂଗୀତ ଗାନ ସହ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ ସମାରୋହକୁ ସରସ ସୁନ୍ଦର କରିଥିଲା ।

Leave A Reply

Your email address will not be published.