ଓଡ଼ିଶାରେ ବଢିବାକୁ ଲାଗିଛି ବାତ୍ୟା ଭୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାକୁ ବାତ୍ୟା ଭୟ ବଢ଼ିବାରେ ଲାଗିଛି । ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ବାତ୍ୟା ପିଟି ହେବା ଆଶଙ୍କା ବଢ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌(ଜିଏଫ୍‌ଏସ୍‌) ଏ ନେଇ ସତର୍କ କରାଇଲାଣି । ଜିଏଫ୍‌ଏସ୍‌ ସୂଚନା ଅନୁଯାୟୀ, ଆସନ୍ତା ୧୭ରୁ ୧୮ ମଧ୍ୟରେ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ କିମ୍ବା ୨୦ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୨ ଓ ୨୩ ତାରିଖ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି । ସମୁଦ୍ରରେ ଏହା ୨ ଦିନ ଆହୁରି ଶକ୍ତିଶାଳୀ ହେବ । ଅକ୍ଟୋବର ୨୪ କିମ୍ବା ୨୬ ତାରିଖରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରି ଉତ୍ତର ଓଡ଼ିଶା କିମ୍ବା ପାରାଦୀପ ଓ ପୁରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତା ୪/୫ ଦିନ ପରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବାତ୍ୟାର ରୂପରେଖ ନେଇ ଏ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ବିଭିନ୍ନ ପାଣିପାଗ ମଡେଲ ଆକଳନ ଯଦି ଠିକ୍‌ ହୁଏ ତେବେ ଓଡ଼ିଶା ଆଉ ଏକ ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହେବ ।

ଅନ୍ୟପକ୍ଷରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ଆସୁଥିବାରୁ ବାୟୁ ମଣ୍ଡଳରେ ଆର୍ଦ୍ରତା ବଢ଼ିଯାଉଛି । ଦିନ ସମୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଛି । ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଛି । ସ୍ୱାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ଅକ୍ଟୋବର ୧୦ ତାରିଖ ସୁଦ୍ଧା ମୌସୁମୀ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିଥାଏ । ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ସପ୍ତାହେ ବିଳମ୍ବରେ ମୌସୁମୀ ବିଦାୟ ନେବ ବୋଲି ଅନୁମାନ କରାଯାଉଛି । ଆଉ୨ ଦିନ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ନିଂ ଜାରି କରାଯାଇଛି ।

Leave A Reply

Your email address will not be published.