ପୁରୀ, (କେପିଏନ୍ଏସ୍) : ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ମଣିଷ ସମ୍ଭବ କରି ଦେଖାଇଥାଏ । ତେବେ ସେଭଳି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସତ୍ୟବ୍ରତ ଦାସ । ସାଇକେଲ ଯୋଗେ ପୁରୀରେ ପହଞ୍ଚି ସତ୍ୟବ୍ରତ ଲୋକଙ୍କ ବେଶ୍ ପ୍ରଶଂସା ସାଉଁଟିଛନ୍ତି । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି ।
ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର ଦିଆଯାଇ ସ୍ବାଗତ କରାଯାଇଥିଲା । ସେଭ୍ ଦ ଟ୍ରି, ସେଭ୍ ଦ ଆର୍ଥ ବାର୍ତ୍ତା ନେଇ ଗତ ଏପ୍ରିଲ୍ ୫ ତାରିଖରେ ସତ୍ୟବ୍ରତ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ୬ ମାସର ଏହି ଯାତ୍ରାରେ ସତ୍ୟବ୍ରତ ୧୩ ହଜାର ୫ଶହ କିଲୋମିଟର ଯାତ୍ରା କରିବା ସହ ପ୍ରଥମେ ରାମେଶ୍ୱରମ୍, ଦ୍ୱାରିକା, ବଦ୍ରିନାଥ ଧାମ୍ ପରେ ଆଜି ଆସି ପୁରୀରେ ପହଞ୍ଚିଛନ୍ତି । ତେବେ ସାଇକେଲ୍ ଚଳାଇବା ଦ୍ୱାରା କିଭଳି ଆମେ ଫିଟ୍ ରହିବା ଏବଂ ପ୍ରତି ସମୟରେ ଗଛ ଲଗାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ସତ୍ୟବ୍ରତ ।