ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟାଦେଶ ବଣ୍ଟନ ଏବଂ ବୈଷୟିକ ଜ୍ଞାନ ଆଦାନ ପ୍ରଦାନ କାର୍ଯକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲାପାଳ ଚଞ୍ଚଳ ରଣା ଅଭିବାଦନ ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଡ. ପଣ୍ଡା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାରୁ ବିଭିନ୍ନ ପ୍ରାନ୍ତର ପ୍ରାୟ ୭୦ ଜଣ ପ୍ରାଣୀ ପାଳକ ଯୋଗଦାନ କରିଥିଲେ । ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡିଶା ରାଜ୍ୟ ସରକାରଙ୍କ ଅଧିନରେ ଚାଲୁଥିବା ବିଭିନ୍ନ ରିହାତି ଥିବା ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ ହୋଇଥିବା ୫୦ ଜଣ ପ୍ରାଣୀ ପାଳକମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରାଣୀ ପାଳକମାନଙ୍କୁ ଏହି ଯୋଜନା ଗୁଡିକର ଭରପୁର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ ଏବଂ କାର୍ଯ୍ୟାଦେଶ ପାଇଥିବା ଚାଷୀମାନଙ୍କୁ କିଭଳି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ପାରିବେ ସେ ବିଷୟରେ ଦିଗ୍ଦର୍ଶନ ଦେଇଥିଲେ । ମୁଖ୍ୟ ଅତିଥି ଦେବକୀ ସାହୁ ରାଜ୍ୟ ସରକାରଙ୍କର ଏହି ଲୋକାଭିମୁଖୀ ଯୋଜନା ଗୁଡିକରୁ ଆହୁରି ଅଧିକ ଚାଷୀ କିପରି ଲାଭ ଉଠାଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ବୈଷୟିକ ଜ୍ଞାନ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଡା. ଆଲୋକ କୁମାର ନାଏକ, ଏଡିଭିଓ ଏଲ୍ପି ଉପସ୍ଥିତ ପ୍ରାଣୀ ପାଳକମାନଙ୍କୁ ଏହି ଯୋଜନା ଗୁଡିକର ସଫଳ ରୂପାୟନ ବିଷୟରେ ବିଭିନ୍ନ ବୈଷୟିକ ସୂଚନା ଦେଇଥିଲେ । ଡା. ତପନ କୁମାର ପଲାଇ ବୈଜ୍ଞାନିକ କୃଷି ବିକାଶ କେନ୍ଦ୍ର ବଲାଙ୍ଗିର ଗୋ ସଂପଦର ରକ୍ଷଣା ବେକ୍ଷଣ ସହିତ କୁକୁଡା ଚାଷକୁ ଏକ ଲାଭ ଦାୟକ ବ୍ୟବସାୟ ରୂପେ ଗ୍ରହଣ କରିବା ପାଇଁ ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ବିଷୟରେ ଆଲୋକପାତ କରିଥିଲେ । ଡିଇଓ ପ୍ରଫୁଲ୍ଲ କୁମାର ପଣ୍ଡା ଚାଷୀମାନଙ୍କୁ ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ସଫଳ ବ୍ୟବସାୟ ଉପରେ ଆଲୋଚନା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡା. ଶୁଭାଶିଷ ସାମନ୍ତ, ଡା. ଦେବସ୍ମିତା ଦେବତା, ଡା. ଚିନ୍ମୟୀ ମିଶ୍ର, ଡା. ସଂଜୟ ମହାକୁର, ଡା. ଅଭିନାଶ ପଟେଲ ଓ ଡା. ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।