ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକାର ଅଧିବାସୀ । ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ ‘ଲାଖମରା’ ପର୍ବ । ନାଗ ବଂଶର ରାଜୁତି ଚାଲୁଥିବା ବେଳେ ବର୍ତ୍ତମାନ ଯେଉଁ ରାଜା ଅଛନ୍ତି ଦିବ୍ୟେନ୍ଦୁ କୁମାର ଦେବ୍ ସେ ଗଙ୍ଗବଂଶର ରାଜା । ତାଙ୍କ ଇଷ୍ଟ ଦେବୀ ମା’ ମାଣିକେଶ୍ଵରୀଙ୍କ ଦଶହରାରେ ଏକ କ୍ରୀଡାକୁ ପର୍ବ ଅନୁଯାୟୀ ପାଳନ କରାଯାଉଥିଲା । ତାହାକୁ ଲାଖମରା ପର୍ବ କୁହାଯାଏ । ଏହି ପର୍ବ ବିଜୟାଦଶମୀ ବାସୀ ଦିନ ରାଜାଙ୍କ ସୈନ୍ୟସାମନ୍ତଙ୍କ ମଧ୍ୟରେ ନିଜ ବିରତ୍ୱର ପରୀକ୍ଷା ପାଇଁ ପ୍ରୀତିଯୋଗିତାର ଆୟୋଜନ କରାଯାଉଥିଲା । ଏହି ପର୍ବରେ ଗୋଟିଏ ବିରାଟ ଗଛର ଶୀର୍ଷରେ କାକୁଡିଟିଏ ପୂଜା କରି ବାଡ଼ିରେ ବନ୍ଧା ଯାଏ । ପରେ କାଶୀପୁରର ରାଜା ନିଜେ ନିଜ ପ୍ରଜା ତଥା ଗ୍ରାମବାସୀଙ୍କ ସହ ମାଣିକେଶ୍ଵରୀ ମନ୍ଦିରରୁ ଏକ ପଟୁଆରରେ ଯାଇ ଗଛରେ ବନ୍ଧା ଯାଇଥିବା କାକୁଡିକୁ ଲକ୍ଷ୍ୟ ଭେଦ କରିବା ପାଇଁ ଅନୁମତି ଦେଇଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଏହି କାକୁଡ଼ିକୁ ପ୍ରଥମେ ଧନୁଶରରେ ଏବଂ ପରେ ପରେ ଏକ ୨୦୦ ବର୍ଷ ପୂରାତନ ବନ୍ଧୁକ ଯାହାକୁ ବୁଢ଼ା ରାଜା କୁହାଯାଏ ତହିଁରେ ଲକ୍ଷ୍ୟ ଭେଦ କରୁଥିଲେ । ଏହି କ୍ରୀଡ଼ାରେ ଯେ କୌଣସି ଲୋକ ଭାଗ ନେଇପାରିବେ, କିନ୍ତୁ ଯିଏ ପ୍ରଥମେ ଲକ୍ଷ୍ୟ ଭେଦ କରେ ସେହି ବର୍ଷ ଉକ୍ତ ବ୍ୟକ୍ତିଙ୍କୁ ବୀରତ୍ୱର ମୁକୁଟ ସ୍ୱରୂପ ରାଜା ପାଟ ଶାଢୀରେ ଶିରପା ବାନ୍ଧିଥାନ୍ତି । ଚଳିତ ବର୍ଷ କାଶୀପୁରର ନବ ପ୍ରସାଦ ମିଶ୍ର ଏହି କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି ।