ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗବାଦକ ସ୍ୱର୍ଗତ ଭିକାରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସ୍ଥିତ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ କୃଷ୍ଣ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗବାଦକ ସ୍ୱର୍ଗତ ଭିକାରୀ ଚରଣ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁବର୍ଣ୍ଣ ମିଶ୍ରଙ୍କୁ ଆକାଶ ମିଶ୍ର ଓ ବୋହୂ ଅନୁସୂୟା ଦେବତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଥମେ ସ୍ୱର୍ଗତ ମିଶ୍ର ଓ ତାଙ୍କ ଧର୍ମପତ୍ନୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ତଥା ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଡୁଙ୍ଗୁରିପାଲିର ସଂକୀର୍ତ୍ତନ ପ୍ରେମୀ ଡ. ଶରତଚନ୍ଦ୍ର ସାହୁ, ଅତାବିରାର ବିଶିଷ୍ଟ ସମାଜସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଆଶୀର୍ବାଦ ସଂଗଠନର ସମ୍ପାଦକ ଲେସ ପ୍ରଧାନ, ସଂଯୋଜକ ଦୁର୍ଯ୍ୟୋଧନ ଗଡତିଆ, ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ମେଘନାଦ ସାହୁ, କିଶୋର ସାହୁ, ଶିକ୍ଷୟିତ୍ରୀ ସୁଶୀଳା ପଶାୟତ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମିଶ୍ର ପେଶାରେ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ କଳା ଥିଲା ତାଙ୍କର ନିଶା । ସେ ଅନନ୍ୟ କଳାର ଅଧିକାରୀ ଥିଲେ । ବାଲ୍ୟ କାଳରୁ ମୃଦଙ୍ଗବାଦକ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା । ଅପରାହ୍ନ ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ମୃଦଙ୍ଗ ବାଦନ କରି ସେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ଏହା ସହ ଅନେକ ଗୁଡ଼ିଏ ନାଟକରେ ମଧ୍ୟ ସେ ଅଭିନୟ କରି ଉଚ୍ଚ ପ୍ରଶଂସିତ ଓ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ନାମ ଥିଲା ଭିକାରୀ କିନ୍ତୁ କଳାରେ ଥିଲେ ସେ ଅମାପ ସମ୍ପତ୍ତିର ଅଧିକାରୀ । ଖାଲି କଳା ନୁହେଁ, ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ମଧ୍ୟ ସେ ଲୋକ ପ୍ରୀୟତା ଅର୍ଜନ କରିଥିଲେ । ଜନଗଣନା କାର୍ଯ୍ୟରେ ବିଶେଷ ଅବଦାନ ପାଇଁ ସେ ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ମଧ୍ୟ ପଦକ ଲାଭ କରି ପ୍ରଶଂସିତ ହୋଇଥିଲେ । ବରଗଡ଼, ସମ୍ବଲପୁର, ସୋନପୁର ଆଦି ଜିଲ୍ଲାରେ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବର୍ଷୀୟାନ କଳାକାରର ସମ୍ମାନ ଲାଭ କରିଥିଲେ । କଳାକୁ ସାଧନ କରି ସେ ଜନ ମାନସକୁ ଅବିଭୂତ କରିଦେଇଥିଲେ ବୋଲି ବରେଣ୍ୟ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ପୁଣି ଥରେ ତାଙ୍କର ସ୍ମୃତିରେ ସମସ୍ତେ ବିଭୋର ହୋଇପଡ଼ିଥିଲେ । ସେ ଛାତ୍ର ବତ୍ସଲ ଶିକ୍ଷକ ଥିଲେ । ଏହି ଅବସରରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅନ୍ନଭୋଜନରେ ଆପ୍ୟାୟିତ କରିଥିଲେ। । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦୃଷ୍ଟିହୀନ ବିଭାଗର ପ୍ରଧାନ ଶିକ୍ଷକ ଅଭୟ ପ୍ରଧାନ, ଶିକ୍ଷକ ଗୁଣନିଧି ସାହୁ, ଅସାବତି କୁମ୍ଭାର, ବିଜୟା ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.