csstore

ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ଫିସ୍‌ ଆଦାୟକୁ ଏଆଇଡିଏସ୍‌ଓର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସଭାପତି ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀମାନଙ୍କ ଠାରୁ ୪୨୦ଟଙ୍କା ଫିସ୍‌ ଆଦାୟ କରିବାକୁ ବିରୋଧ କରାଯିବା ସହ ଉକ୍ତ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ, ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀମାନଙ୍କ ଠାରୁ ୪୨୦ ଟଙ୍କା ଫିସ୍‌ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପୂର୍ବ ବର୍ଷ ହୋଇ ନଥିଲା । ବିଏସ୍‌ଇର ଏହି ନିଷ୍ପତ୍ତି ଫଳରେ ବହୁ ଗରିବ ଘରର ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ଫର୍ମ ପୂରଣ କରି ନ ପାରି ପରୀକ୍ଷା ଦେବାରୁ ବଂଚିତ ହେବେ । ସମେଟିଭ୍‌ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ୍‌ ଆଦାୟ କରାଯିବ । ବର୍ତ୍ତମାନ ରାଜ୍ୟର ଜନସାଧାରଣ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛନ୍ତି । ଅନ୍ୟପଟେ ଦରଦାମ ବୃଦ୍ଧି ଲୋକଙ୍କ ନିଦ ହଜାଇ ଦେଇଛି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଠାରୁ ଏଭଳି ଅନ୍ୟାୟ ଭାବେ ଫିସ୍‌ ଆଦାୟକୁ ଏଆଇଡିଏସ୍‌ଓ ଦୃଢ ନିନ୍ଦା କରିବା ସହ ପରୀକ୍ଷା ଫିସ୍‌ ଆଦାୟ କରିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଏବଂ ଛାତ୍ରଛାତ୍ରୀମାନଙ୍କର ମାଗଣାରେ ଫର୍ମ ପୁରଣ କରିବା ଦାବୀ ନେଇ ଆଜି କଟକ ବୋର୍ଡ ଅଫିସରେ, ବିଭିନ୍ନ ଜୋନାଲ ଅଫିସରେ ଏବଂ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରର ବିଭିନ୍ନ ବ୍ଲକ ସ୍ତରରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।

jayashree
Leave A Reply

Your email address will not be published.