
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନ ପଦର ଛକରେ ବିଭିନ୍ନ ସଂଗଠନ ମିଶି ଆନ୍ଦୋଳନ କରିଛନ୍ତି । ଚାରି ଛକ ନିକଟରେ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ଏବଂ ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି । ଉକ୍ତ ସ୍ଥାନରେ ଗୋଲେଇ ଛକ ନିର୍ମାଣ ଦାବୀରେ ଗ୍ରାମବାସୀ କାମ ବନ୍ଦ କରିବା ସହ ନିର୍ମାଣ କାମରେ ବ୍ୟବହୃତ ମେସିନ୍ଙ୍କୁ ଫେରାଇ ଦେଇଛନ୍ତି । ଏନେଇ ଆଜି ମହାମାୟୀ ଯୁବକ ସଂଘ ଯୁଗେନ ପଦର ଗ୍ରାମବାସୀ ଓ ସିନାପାଲି ଅଂଚଳର ଲିଙ୍ଗରାଜ ଘିଭେଲା, ଶଶିଭୂଷଣ ମାଝି, ମେଘନାଦ ଖର୍ସେଲ, ଭୀଷ୍ମ ସୁନାନୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମୀନା ଘିଭେଲା, ପ୍ରସନ୍ନ କୁମାର ମାଝୀ, ମଧୁସୂଦନ ମାଝି, ଅରି ରଞ୍ଜନ ଯୋଶୀ, ଲକ୍ଷ୍ମଣ ବଂଜରା, ସମିତି ସଭ୍ୟ ମନିଶ ପଟେଲ, ପୂର୍ଣ୍ଣଚନ୍ଦ୍ର ମାଝି, ଅରବିନ୍ଦ ହୋତା, ଜୟପାଲ୍ ନାଗ, ଗିରିରାଜ୍ ମାଝି ଓ ଲମ୍ବୋଦର ମାଝି ସମେତ ଅନେକ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ଅନୁଯାଇ ବିଜୁ ଏକ୍ସପ୍ରେସ ନିର୍ମାଣ ପାଇଁ ଯୁଗେନ ପଦର ଗ୍ରାମର ଅନେକ ପରିବାର ଜମିବାଡ଼ି ହରାଇଛନ୍ତି । ଏବେ ଓଭର ବ୍ରିଜ ନିର୍ମାଣ ହେଲେ ସେମାନେ ଆହୁରି ଆର୍ଥିକ କ୍ଷତି ସହିବେ ଓ ଗ୍ରାମର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବ ଏଣୁ ଓଭର ବ୍ରିଜ ନିର୍ମାଣ ବନ୍ଦ କରି ଚାରି ଛକ ରାସ୍ତାରେ ଏକ ଗୋଲେଇ ଛକ ନିର୍ମାଣ କରାଯାଉ ବୋଲି ଦାବୀ କରିଛନ୍ତି । ଉକ୍ତ ବ୍ରିଜ ଛତିଶଗଡ଼ ନୂଆପଡା ସୀମାନ୍ତ ଅଞ୍ଚଳରେ ନିର୍ମାଣ କରାଯାଉ ନହେଲେ ପୁଣି ସିନାପାଲିରେ ପ୍ରସ୍ତାବିତ ବସଷ୍ଟାଣ୍ଡ କୌଣସି ବେସରକାରୀ ଜମିରେ ନକରି ଉଦନ୍ତୀ ନଦୀ ପଡ଼ିଆରେ କରାଯାଉ ବୋଲି କହିଥିଲେ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।