ବଲାଙ୍ଗିର, (କେପିଏନ୍ଏସ୍) : ଶାନ୍ତିପଡ଼ା ଛକରେ ବୁଲୁଛି ମାନସିକ ରୋଗୀ ଗୌତମ । ଗୌତମକୁ ଆନୁମାନିକ ୩୨/୩୫ ବର୍ଷ ବୟସ ହେବ । ଚୁପ୍ଚାପ୍ ଏଣେତେଣେ ବୁଲୁଥାଏ । ଯେଉଁଠି ଯାହା ମିଳେ ଖାଏ । ଭୋକ ହେଲେ କିନ୍ତୁ ସମ୍ଭାଳି ପାରେନି । ବୋବାଲ୍ କରି ଫଟେଇ ଦିଏ ସାରା ଅଂଚଳ । ଏଭଳି ଧାଁ ଦଉଡ଼ କରି ଗାଳି ଗୁଲଜ୍ କରେ ଯେ ସାମ୍ନାକୁ କିଏ ଯିବାକୁ ସାହାସ କରନ୍ତି ନାହିଁ । ଶୁଣିବାକୁ ମିଳେ, ପଶ୍ଚିମବଙ୍ଗ ଅଂଚଳରୁ ଗୃହ ନିର୍ମାଣ କାମ କରିବା ପାଇଁ ଗୋଟିଏ ଦଳ ସହ ଗୌତମ ଆସିଥିଲା । କିନ୍ତୁ ସେ ମାନସିକ ରୋଗାଗ୍ରସ୍ତ ହେବାପରେ ତାକୁ ଏଠାରେ ଛାଡ଼ି ଚାଲିଗଲେ ତା’ ଦଳର ଅନ୍ୟସବୁ ସଦସ୍ୟ । ସେଇ ଦିନଠାରୁ ଶାନ୍ତିପଡ଼ା ଛକରେ ସେ ରୀତିମତ ବୁଲୁଥାଏ । ଯେଉଁଠି ପାରେ ସେଇଠି ଶୁଏ, ଯିଏ ଯାହା ଦେଲେ ଖାଏ । ଏପରିକି ଚା’ ଦୋକାନକୁ ଯାଇ ସେ ସମୟ ସମୟରେ ବିସ୍କୁଟ, ଚା’ ମାଗେ । ବିଡ଼ି ବି ମାଗେ ପାନ ଦୋକାନରୁ ଏବଂ ଟାଣେ । ଗୌତମ ବୋଲି ଡାକିଲେ ଯେହେତୁ ଶୁଣେ, ତେଣୁ ତା’ ନାଁ ଗୌତମ ବୋଲି ସମସ୍ତେ ଜାଣନ୍ତି । ତା’ ମନ ବୁଝିଥିଲେ କଥା ହୁଏ । ତା’ ନାଁ ବି ସେ ଠିକ୍ ଠିକ୍ କହିପାରେନି । କେତେବେଳେ ମୋ’ ନାଁ ଦିଲୀପ ବୋଲି କହେ ତ’ କେତେବେଳେ ଆଉ କ’ଣ । ତା’ ଗାଁର ନାଁ କିନ୍ତୁ ଖଡ଼ଗ୍ପୁର ବୋଲି କୁହେ । ଏସବୁରୁ ଅନୁମାନ କରିହୁଏ ଯେ, ଗୌତମର ଅବସ୍ଥା ଏବେ ବି ବିଶେଷ ଜଟିଳ ହୋଇନାହିଁ । ଚିକିତ୍ସା ପାଇଲେ ସେ ଆରୋଗ୍ୟ ହୋଇପାରନ୍ତା । ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରନ୍ତି ।
Prev Post