ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା : ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ରାଜରାସ୍ତାକୁ ଓହ୍ଲାଇଲା ଦଳିତ ଅଧିକାର ମଞ୍ଚ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଯୁବକ ତୁଲାରାମ ତାଣ୍ଡି(ମଣ୍ଟୁ)ଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଘଟଣାର ନିରପେକ୍ଷ ତଦନ୍ତ ଓ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଦଳିତ ଅଧିକାର ମଞ୍ଚ ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି । ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ଅଞ୍ଚଳର ଯୁବବର୍ଗ ତଥା ସଚେତନ ନାଗରିକ ସାମିଲ ଥିଲେ । କାପସି ବରଗଛ ଛକ ନିକଟରେ ସମସ୍ତେ ଜମା ହୋଇ ଏକ ବିରାଟ ପ୍ରତିବାଦ ଯାତ୍ରାରେ ବାହାରି ସିନାପାଲି ସହର ପରିକ୍ରମା କରି ଥାନାରେ ପହଞ୍ଚି ଥିଲେ । ଥାନା ସମ୍ମୁଖରେ ଧାରଣାରେ ବସିବା ସହ ବିରୋଧ ପ୍ରଦର୍ଶନ କରି ଘଟଣାର ନିରପେକ୍ଷ ତଦନ୍ତ ଓ ସମ୍ପୃକ୍ତ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ନାରାବାଜି କରିଥିଲେ । ଦୀର୍ଘ ସମୟ ଧରି ହୋହାଲ୍ଲା ପରେ ପୁଲିସ ପ୍ରଶାସନ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ । ହେଲେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ କାହିଁକି ଛାଡିଦିଆଗଲା ଓ ତଦନ୍ତରେ ଅବହେଳା କରାଯାଉଥିବା ନେଇ ବିକ୍ଷୋଭ କରି ପୁଲିସ ଉପରେ ବର୍ଷିଥିଲେ । ପରେ ସିନାପାଲି ଏସ୍‌ଆଇ ଯାନୀ, ଏଏସ୍‌ଆଇ ପ୍ରଭା କର, ବୋଡେ଼ନ ଥାନାଧିକାରୀ ସୁଦର୍ଶନ ନାଏକ, ଏଏସ୍‌ଆଇ ପର୍ଶୁରାମ ଛତ୍ରିଆ, ଏସ୍‌ଆଇ କୁଳମଣି ବୁରୁଦା ପ୍ରମୁଖ ପ୍ରତିବାଦକାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ତୁରନ୍ତ ଘଟଣାର ତଦନ୍ତ କରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରି ଦୋଷୀଙ୍କୁ ଗିରଫ କରିବାକୁ ଜିଦ୍‌ ଧରିଥିଲେ । ପରେ ପୁଲିସ ପକ୍ଷରୁ ପ୍ରତିଶୃତି ପାଇବା ପରେ ବିକ୍ଷୋଭକାରୀ ଶାନ୍ତ ହୋଇଥିଲେ । ପୁଣି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରି ସତ୍ୟାସତ୍ୟକୁ ଲୋକଲୋଚନକୁ ଅଣାଯାଉ ଓ ଦୋଷୀଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଉ । ନଚେତ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଦଳିତ ଅଧିକାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ତୁଲାରାମଙ୍କୁ ଗତ ୨ ତାରିଖ ଦିନ ଘରୁ ଡାକିନେଇ ମଦ ପିଆଇ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏନେଇ ପରିବାର ପକ୍ଷରୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପ୍ରକାଶ ଯେ, ଗତ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ୩୦ ମିନିଟ ସମୟରେ କାପସି ସ୍ଥିତ ଦ୍ରୌପଦୀ ମହିଳା ମହାବିଦ୍ୟାଳୟର ପ୍ରିନ୍‌ସିପାଲ ମାନସରଂଜନ ଦାସ, ଅଧ୍ୟାପକ କମଲଲୋଚନ ଦାସ, ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ର ଏମ୍ୱୁଲେନ୍ସ ଡ୍ରାଇଭର ବୁଲୁ ପଟେଲ ଓ କଲେଜ କର୍ମଚାରୀ ଗଣେଶ ବାଗ ଏବଂ ତାର ଭିଣୋଇ ରାଜପୁର ନିବାସୀ ଅଭିରାମ ଜଗତ ମୃତ ତୁଲାରାମ ତାଣ୍ତିଙ୍କୁ ଡାକିନେଇ କଲେଜ କାର୍ଯ୍ୟାଳୟ ତଥା ପ୍ରିନ୍ସିପାଲଙ୍କ ବସାରେ ମିଳିତ ଭାବେ ମଦ ପିଇଥିଲେ । ପରେ ସଂନ୍ଧ୍ୟା ୬ଟା ସମୟରେ ଏମ୍ୱୁଲେନ୍ସ ଡ୍ରାଇଭର ବୁଲୁ ପଟେଲ ଓ ଗଣେଶ ବାଗର ଭିଣୋଇ ଅଭିରାମ ଜଗତ ତୁଲାରାମ ତାଣ୍ତିଙ୍କୁ ନିଷାଶକ୍ତ ଅବସ୍ଥାରେ ମୋଟର ସାଇକଲରେ ବସାଇ ହାତିବନ୍ଧା ପଟକୁ ନେଇଥିଲେ । ପରେ ରାତ୍ରି ପ୍ରାୟ ୮ଟା ୩୦ମିନିଟ ସମୟରେ ତୁଲାରାମର ମୋବାଇଲରୁ ସିନାପାଲି ନିବାସୀ ନବୀନ ମେହେରଙ୍କୁ ତୁମ ଡ୍ରାଇଭର ତୁଲାରାମଙ୍କ ବାଇକ୍ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ଏହି ଖବର ପାଇ ଦୀର୍ଘ ସମୟ ଖୋଯାଖୋଜି ପରେ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ତୁଲାରାମଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୂଆପଡାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଉକ୍ତ ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ନପାରି ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଯେହେତୁ ଏକ ଗାଡିକିଣା ଘଟଣାକୁ ନେଇ ପ୍ରିନ୍ସିପାଲ୍ ମାନସ ସହିତ ତୁଲାରାମର ମନମାଲିନ୍ୟ ରହିଥିବା ସହ ଅନେକ କାରଣ ରହିଥିବା ଜଣାପଡିଛି । ପୁଣି ନୂଆଁଖାଇ ପରଦିନ ଭଲି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଘରେ ରଖି ତୁଲାରାମକୁ ମଦ ପିଇବା ପାଇଁ ଘରକୁ ପ୍ରିନ୍ସିପାଲ ଡାକିଥିବା ନେଇ ସନ୍ଦେହ ହେଉଛି । ଉକ୍ତ ବ୍ୟକ୍ତିମାନଙ୍କ ମାଧ୍ୟମରେ ହତ୍ୟାକାଣ୍ଡ ଘଟାଇ ଏହାକୁ ଏକ ବାଇକ ଦୁର୍ଘଟଣା ବୋଲି ରୂପ ଦେଇଥିବା ନେଇ ପରିବାର ଅଭିଯୋଗ ଆଣିଛନ୍ତି । ଏନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ନିମନ୍ତେ ପରିବାର ଦାବୀ କରି ଲିଖିତ ଅଭିଯୋଗ କରିଥିଲା । ସିନାପାଲି ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ଏକ ହତ୍ୟା ମମଲା ରୁଜୁ କରି ପଚରାଉଚରା ପରେ ସେମାନଙ୍କୁ ଛାଡି ଦେଇଛି । ଏନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସର ତଦନ୍ତକୁ ସନ୍ଦେହ କରୁଥିବା ବେଳେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ଯାତ୍ରା କରି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିରୋଧ ପ୍ରଦର୍ଶନ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ନଚେତ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏନେଇ ରାଜ୍ୟ ଦଳିତ ଅଧିକାର ମଞ୍ଚ ଓ ସିନାପାଲି ଡ୍ରାଇଭର ମହାସଂଘ ମଧ୍ୟ ଦାବୀ କରିଛନ୍ତି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଭୟାଭୟ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.