ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳଙ୍କ ସମୀକ୍ଷା

ବୌଦ୍ଧ : ବୌଦ୍ଧ ସହରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣାଧିନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବା ସହିତ ତୁରନ୍ତ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିମଧ୍ୟରେ ଏନ୍‌ଏସିର ବିଭିନ୍ନ କାର୍ଯ୍ୟକାରୀ ଯୋଜନା ଓ ପ୍ରକଳ୍ପ ଯଥା ମୁକ୍ତା ଯୋଜନା, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, ଚଲାପଥ, ମିନି ପାର୍କ, ଭେଣ୍ଡିଂ ଜୋନ, ଖେଳପଡିଆ ଉନ୍ନତିକରଣ ତାହା ସହିତ କ୍ରିଡାର ଭିତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଜିଲା ସଂଗ୍ରହାଳୟର ସମୀକ୍ଷା ସହିତ ବକେୟା ଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା ହୋଇଥିଲା । ସହରକୁ ସଂପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ ଆଲୋଚନା ସହିତ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଜିଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲାପାଳ ଶ୍ରୀ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ନିର୍ମାଣାଧିନ ଷ୍ଟାଡିୟମ, ସନ୍ତରଣାଗାର, ଇଣ୍ଡୋର ଷ୍ଟାଡିୟମ, ରେଭିନ୍ୟୁ କ୍ୱାର୍ଟର, ମାଷ୍ଟରଲାଇନ କ୍ୱାର୍ଟର ବୁଲି ଦେଖିବା ପରେ ସମସ୍ତ କ୍ୱାର୍ଟରର ମରାମତି ତଥା ପୁନଃନିର୍ମାଣ ପାଇଁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ପୁରୁଣା ବସଷ୍ଟାଣ୍ଡର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଜାଗା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ଏନଏସି ର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ, ଆର୍କିଟେକ ସୁମନ ଷଡଙ୍ଗୀ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ମତ୍ସ୍ୟ ବିଭାଗ, ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.