ରାମଚନ୍ଦ୍ରପୁରରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ରାମଚନ୍ଦ୍ରପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବେଶ ଉତ୍ସାହର ସହିତ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗ୍ରାମରେ ସମସ୍ତେ ପ୍ରଥମେ ନିଜ ନିଜ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଚଢାଇବା ପରେ ନୂଆଁ ଖାଇ ଥିଲେ ଓ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ପରେ ଗାଁ ଦାଣ୍ଡରେ ସମସ୍ତେ ବାହାରି ଛୋଟ ମାନେ ବଡ଼ମାନଙ୍କୁ ନମସ୍କାର କରି ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ତା’ପରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଥମେ ଗଣେଶ ପୂଜା ମଣ୍ଡପ, ତା’ପରେ ଜଗନ୍ନାଥ ମନ୍ଦିର ଓ ଶେଷରେ ଗ୍ରାମର ଗ୍ରାମପତି ଓ ବୁଢାରାଜା ଗୁଡିକୁ ଯାଇ ମୁଣ୍ଡିଆ ମାରି ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ତା’ପରେ ଗ୍ରାମରେ ଗ୍ରାମପତି ଶ୍ରୀ ବିନାୟକ ଗଣେଶ ପୂଜା କମିଟି ଅନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ର ଆୟୋଜନ କରାଯାଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ରେ କୁନି କୁନି ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଧାରଣ ଜ୍ଞାନ, ମ୍ୟୁଜିକ ଚେୟାର, ମାଠିଆ ଫଟା, ଲଡ଼ୁ ଖିଆ, ସିଲୋ ଲାଇ, ଗୀତ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ୩ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ରାତିରେ ଅନୁଷ୍ଠିତ ହୋଇଥିବା ନାଚ ପ୍ରତିଯୋଗିତା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଯାହାକୁ ଦର୍ଶକମାନେ ମନ ଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଂକୀର୍ତ୍ତନ ବାଗ ଓ ଇନ୍ଦିରା ସେଠ ଯୋଗ ଦେଇଥିବା ବେଳେ ବରୁଣ ବାଗ ଓ ଲକ୍ଷୀନ୍ଦ୍ର ଚନ୍ଦନ ଜଜ ଭାବରେ ଯୋଗ ଦେଇଥିଲେ । ସଂକୀର୍ତ୍ତନ ବାଗ ନୂଆଁଖାଇର ମହତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.