csstore

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ

  • ସିଙ୍ଗିଲ୍ସ୍‌ରେ ଅରବିନ୍ଦ ଓ ଡବଲ୍ସ୍‌ରେ ମାନଭଞ୍ଜନ ଓ ପ୍ରତୀକ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ସିଙ୍ଗିଲ୍ସ୍‌ ବିଭାଗର ଫାଇନାଲରେ ଅରବିନ୍ଦ ସାହୁ ଓ ଡବଲ୍ସ୍‌ ବିଭାଗ ଫାଇନାଲରେ ମାନଭଞ୍ଜନ ନାଏକ ଓ ପ୍ରତୀକ ସିଂଦେଓଙ୍କ ଯୋଡି ବିଜୟ ଲାଭ କରି ଚାମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ସିଙ୍ଗଲ୍ସ୍‌ ବିଭାଗରେ ବିକ୍ରାନ୍ତ ଜାନୀ ଓ ଡବଲ୍ସ୍‌ ବିଭାଗରେ ଅରବିନ୍ଦ ସାହୁ ଓ ବିକ୍ରନ୍ତ ଜାନୀଙ୍କ ଜୋଡି ରନର୍ସ ଅପ୍‌ ହୋଇଛନ୍ତି । ଦୁଇ ଦିନ ବ୍ୟାପି ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସାରା ଜିଲ୍ଲାରୁ ପ୍ରାୟ ୮୦ ଜଣ ଖେଳାଳି ଭାଗ ନେଇ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦିନରେ ଲିଗ ପର୍ଯ୍ୟନ୍ତ ସମାପ୍ତ ହୋଇଥିଲା ବେଳେ ବୁଧବାର ଦିନ କ୍ୱାଟର, ସେମି ଓ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା । ଡବଲ୍ସ୍‌ ବର୍ଗରେ ବେଶ ମନମୋହ ଖେଳ ପ୍ରଦର୍ଶନ କରି ମାନଭଞ୍ଜନ ଓ ପ୍ରତୀକ ସହ ଅରବିନ୍ଦ ଓ ବିକ୍ରାନ୍ତଙ୍କ ଯୋଡି ଫାଇନାଲକୁ ଉନ୍ନିତ ହୋଇଥିଲେ । ଫାଇନାଲ ମୁକାବିଲାରେ ମାନଭଞ୍ଜନ ଓ ପ୍ରତୀକଙ୍କ ଯୋଡି ରୋମାଞ୍ଚକର ଖେଳ ପ୍ରଦର୍ଶନ କରି ୨-୧ରେ ବିଜୟ ଲାଭ କରି ସମସ୍ତଙ୍କୁ ଚକ୍କିତ କରି ଦେଇଥିଲେ । ସେହିପରି ସିଙ୍ଗଲ୍ସ୍‌ ବର୍ଗର ଫାଇନାଲରେ ଦୁଇ ପ୍ରତିଦ୍ୱନ୍ଦି ଅରବିନ୍ଦ ଓ ବିକ୍ରାନ୍ତଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଅରବିନ୍ଦ ୨-୧ ସେଟ୍‌ରେ ବିଜୟ ଲାଭ କରି ନିଜର ଚାମ୍ପିଆନ ଟାଇଟଲ ବଜାୟ ରଖିଥିଲେ । ଆଜିର ଉଦଯାପନୀ ସମାରୋହରେ ଭୀମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ବେଣୁ ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର କାର୍ଯ୍ୟକଳାପକୁ ଭୁରି ଭୁରି ପ୍ରସଂଶା କରିଥିଲେ । ସେ କହିଥିଲେ ଯେ, ବଲାଙ୍ଗିର ଖେଳାଳିମାନଙ୍କ ରାଜ୍ୟ ସ୍ତରରେ ଯେଉଁ ସବୁ ସଫଳତା ହାସଲ କରିଛନ୍ତି ସେଥିରେ ଜିଲ୍ଲା ସଂଘର ଉଦ୍ୟମର ମହକ ବେଶ ବାରି ହୁଏ । ଆଶା ଜିଲ୍ଲା ସଂଘ ଏହି ଭଳି ନୂତନ ପ୍ରତିଭାଙ୍କୁ ଗଢି ତୋଳି ରାଜ୍ୟ ଓ ଜାତୀୟ ସ୍ତରକୁ ଉନ୍ନିତ କରିବା ଜାରି ରଖିବ । ଏହି ଅବସରରେ ଲଗାତାର ଦୁଇ ଥର ରାଜ୍ୟ ଅଣ୍ଡର ନାଇନ ଚାମ୍ପିଆନ ହୋଇଥିବା ଜି. ଗୌତମ, ତାଙ୍କର କୋଚ ଅଭିମନ୍ୟୁ ବଗର୍ତ୍ତୀ ଓ ରାଜ୍ୟ ସିନିଅର ବର୍ଗର ପୂର୍ବତନ ଚାମ୍ପିଆନ ଅରବିନ୍ଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଘନଶ୍ୟାମ ମିଶ୍ର, ର‍୍ୟାଫରି ହେମନ୍ତ ପ୍ରଧାନ, ଟେକନିକାଲ ଅଫିସର ଅନନ୍ତ ବେହେରା, ଆଶିଷ ଦର୍ଜୀ, ମାନସ ମହାନ୍ତି, ରାଜ କିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଆଲୋକ ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ବ୍ୟଡମିଣ୍ଟନ କୋଚ ସୁରେନ୍ଦ୍ର ନେପାଲ ପ୍ରତିଯୋଗିତା ପରିଚାଳନା କରିଥିଲେ । ସହରର ଶତାଧିକ ବ୍ୟାଡମିଣ୍ଟନ ପ୍ରେମୀ ଓ କୁନି ଖେଳାଳିମାନେ ଖେଳର ମଜା ନେଇଥିଲେ ।

jayashree
Leave A Reply

Your email address will not be published.