jayashree

ମୌଳିକ ସୁବିଧାରୁ ବଞ୍ଚିତ ରମାଇଗଡ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନଦଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରମାଇଗଡ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ରମାଇଗଡ ଗାଁରେ କୋଡ଼ିଏରୁ ଅଧିକ ପରିବାର ବସବାସ କରୁଥିଲେ ହେଁ ଯିବା ଆସିବା କରିବା ପାଇଁ ରାସ୍ତାଘାଟର ସୁବିଧା ନାହିିଁ, ଗାଁର ଛାତ୍ରଛାତ୍ରୀମାନେ ଆଶ୍ରମରେ ରହି ପାଠ ପଢ଼ୁଛନ୍ତି, ଗାଁରେ ଅଙ୍ଗନୱାଡି କେନ୍ଦ୍ର ନ ଥିବା ଯୋଗୁଁ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରାକ୍ ବିଦ୍ୟାଳୟରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ରମାଇଗଡ ଗାଁରୁ ପ୍ରାୟ ୫ କି.ମ. ଦୂର ଗଭରା ଗାଁ ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ ଜଙ୍ଗଲ ରାସ୍ତାରେ ଅଭିଭାବକମାନେ ନିଜ କୁନି କୁନି ପିଲାମାନଙ୍କୁ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏନେଇ ଗ୍ରାମବାସୀମାନେ କହିଛନ୍ତି ଯେ, ଆମ୍ଭେ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରି ଆସୁଛୁ ରାସ୍ତାଘାଟ କିଛି ନ ଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛୁ । ଆମେ ଶିକ୍ଷାରୁ ବଞ୍ଚିତ, ଛାତ୍ରଛାତ୍ରୀ ପ୍ରାକ୍ ବିଦ୍ୟାଳୟକୁ ଯିବାରୁ ବଞ୍ଚିତ । ଅଙ୍ଗନୱାଡି କେନ୍ଦ୍ର ଗାଁରେ ନଥିବାରୁ ଗର୍ଭବତୀ ମହିଳାମାନେ କୌଣସି ପ୍ରକାରର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଯେକୌଣସି କାମ ପଡ଼ିଲେ ଆମ ଗାଁରୁ ୫ କି.ମି. ଦୂର ଜଙ୍ଗଲ ରାସ୍ତାରେ ଗଭରା ଗାଁକୁ ଯିବାକୁ ହୋଇଥାଏ । ରାସ୍ତାର ଅଭାବ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା ସୁବିଧା ହୋଇ ନ ଥାଏ ବୋଲି ଖଗେଶ୍ୱର ଦଣ୍ଡସେନା, ଭୋଲାନାଥ ମାଝି, ମାଳତୀ ମାଝି ଏବଂ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.