ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘର ଆନ୍ଦୋଳନ ଜାରି

  • ଦୋଷୀମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର କରାଯାଉ : ଖଟିଖିଆ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିନା ଘର ନିର୍ମାଣ କରି ବ୍ଲକରୁ ଟଙ୍କା ଉଠାଯାଇଥିବା, ଜଳଛାୟା ପ୍ରକଳ୍ପରେ ଛେଳି, ଗାଈ ଓ ଚାଷୀଙ୍କ କ୍ଷେତରେ ଫାର୍ମ ଫଣ୍ଡ ନିର୍ମାଣରେ ବଡ ଦୁର୍ନୀତି ହୋଇଥିବା, ଡଭା ସେବା ସମବାୟ ସମିତି ସୋସାଇଟିରେ ବିନା ଜମିବାଡି ଥାଇ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇ ଯାଇଥିବା, ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ କରିବା, ମାଣ୍ତିଆ ଚାଷରେ କୃଷି ବିଭାଗର ଦୁର୍ନୀତି, ଛୋଟ ଅନକି ଗ୍ରାମରେ ବିଧାୟକ ଲେଡ ପାଣ୍ଠିରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ୫ଲକ୍ଷ ଟଙ୍କା ବିନା କାମରେ ବ୍ଲକ ଅଧିକାରୀମାନେ ବିଲ କରି ଠିକାଦାରଙ୍କୁ ଟଙ୍କା ଦେଇଦେବା, ଝାରବନ୍ଧ ବ୍ଲକର ୧୭ଟି ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ଆଦି ୧୧ଟି ଦାବୀକୁ ନେଇ କାଲିଠାରୁ ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘ ଦ୍ୱାରା ଚାଲିଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମରୁ ପାଖାପାଖି ୧୫ ଶହ ଲୋକ ଝାରବନ୍ଧ କଲେଜ ପେଟ୍ରୋଲ ପମ୍ପ ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ବିଭାଗ ଏସିଷ୍ଟାଣ୍ତ ରେଜିଷ୍ଟାର, ଝାରବନ୍ଧ ବିଡିଓ, ଝାରବନ୍ଧ ଆଇଆଇସି ଆନ୍ଦୋଳନକାରୀ ସହ ଆଲୋଚନା କରି ଏ ସମସ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟର ଦୁର୍ନୀତିରେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଫୌଜଦାର ମୋକଦ୍ଦମା ଦାୟର ନହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣା ଜାରି ରହିବ ବୋଲି ଖଟିଖିଆ ସଂଘର ନେତାମାନେ ଘୋଷଣା କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଏବେ ମଧ୍ୟ ଶତାଧିକ ଲୋକ ଧାରଣାରେ ଅଛନ୍ତି । ବରଗଡ ପିଡି ଡିଆରଡିଏଙ୍କୁ ଏ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ଆବାସ, ଜଳଛାୟା ଦୁର୍ନୀତି ଓ ସେବା ସମବାୟ ଦୁର୍ନୀତି ଉପରେ ବିଡିଓ ଓ ଅନ୍ୟ ଅଧିକାରୀମାନେ ଏବେ ତଦନ୍ତ କରୁଛନ୍ତି ବୋଲି କହି ତୁରନ୍ତ ଦୋଷୀ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନରେ ଖଟିଖିଆ ସଂଘର ସର୍ବଶ୍ରୀ ସତ୍ୟମ ପ୍ରଧାନ, ଯୋଗେନ୍ଦ୍ର ଭୋଇ, ଅକ୍ଷୟ କୁମାର ପ୍ରଧାନ, ମାୟାଧର ସିଦ୍ଧାର, ପଞ୍ଚୁଦେବ ସାହୁ, ପ୍ରେମଲାଲ ସାହୁ, ଅଜିତ ସତନାମି, ମାଧବ ଭୋଇ, ଘାସିରାମ ପଟେଲ, ରତିରାମ ମରେଇ, ବିକାଶ ଅଗ୍ରୱାଲ, ଗଙ୍ଗାଧର କରେଇ, ସୁରେନ୍ଦ୍ର ଭୋଇ, ହେମ ସାଗର ସାହୁ, ନୀଳାମ୍ବର ବାରିକ, ଯୁଗେନ୍ଦ୍ର ଭୋଇ, ଗୁରୁ ସାଗର ପଟେଲ, ଚାନ୍ଦୁ ଲୁହାର, ରାମସାଏ ସିଦ୍ଧାର, ପ୍ରଦୀପ ନାୟକ ନେତୃତ୍ୱ ନେଉଛନ୍ତି । ଏହି ଆନ୍ଦୋଳନ ପ୍ରତି ଜନସମର୍ଥନ ଧିରେ ଧିରେ ବଢିବାରେ ଲାଗୁଛି ।

Leave A Reply

Your email address will not be published.