ମଦ ଯୋଗାଣ କରୁଥିବା ଯୁବକ ସହ ବାଇକ୍‌କୁ ଅଟକ ରଖିଲେ ଶତାଧିକ ମହିଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଇରପଦର ଗ୍ରାମ ପଞ୍ଚାୟତକୁ ମଦମୁକ୍ତି ପଞ୍ଚାୟତ ଗଢିବା ପାଇଁ ମହିଳା ମହାସଂଘ ତରଫରୁ ଗତ ୩୧ ଜୁଲାଇ ଦିନ ମଦମୁକ୍ତି ଆନ୍ଦୋଳନ କରାଯାଇଥିଲା । ସେହି ଆନ୍ଦୋଳନରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ବେଆଇନ ମଦକୋଠିକୁ ଶତାଧିକ ମହିଳା ଯାଇ ବନ୍ଦ କରିଥିବା ବେଳେ ଆଗାମୀ ଦିନରେ ମଦକୋଠି ନଖୋଲିବାକୁ ଚେତାବନୀ ଦେଇଥିଲେ । ପ୍ରକାଶ ଯେ, ଗତ ୩୧ ଜୁଲାଇ ଦିନ ମଦମୁକ୍ତି ଆନ୍ଦୋଳନ କଲା ପରେ ପଞ୍ଚାୟତରେ ଥିବା ମଦକୋଠିମାନଙ୍କରେ ମଦ ବିକ୍ରି ବନ୍ଦ କରି ଦେଇଥିଲେ । ହେଲେ କିଛିଦିନର ବ୍ୟବଧାନ ପରେ ପୁଣି ମଦକୋଠି ଖୋଲି ମଦ ବିକ୍ରି ଆରମ୍ଭ କରୁଛନ୍ତି । ମହିଳା ମହାସଂଘ ଆଗକୁ ମଧ୍ୟ ଆନ୍ଦୋଳନର ତୀବ୍ର ରୂପ ଧାରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଏହି ପଞ୍ଚାୟତରେ ବେଆଇନ ମଦକୋଠି ବନ୍ଦ ଥିବାବେଳେ କିଛିଦିନ ହେଲା କିଛି ଅସାଧୁ ବ୍ୟକ୍ତିମାନେ ସେହି ମଦକୋଠି ଆରମ୍ଭ କରିବାକୁ ଚେଷ୍ଟା ଚଲାଇଥିବା ବେଳେ ତାଙ୍କୁ ଜଣେ ଯୁବକ ଗୋର୍ଲା ଭାଟିରୁ ମଦ ଯୋଗାଣ କରୁଥିବା ମହିଳାମାନେ ଜାଣିବାକୁ ପାଇଥିଲେ । ସେହି ବ୍ୟକ୍ତିଙ୍କୁ ଦେଶୀମଦ ପାଉଚ୍ ସମେତ ଏକ ବାଇକ୍‌କୁ ଅଟକ ରଖିଥିଲେ । ସେହି ଯୁବକ ଜଣକ ହେଲେ ଗୋର୍ଲା ଭାଟିରେ କାମ କରୁଥିବା ଗୋର୍ଲା ଗ୍ରାମର ଅଭିରାମ ଦଣ୍ତସେନା ବୋଲି ଜଣାପଡିଛି । ଯୁବକଙ୍କୁ ଅଟକ କଲାପରେ ଉକ୍ତ ଭାଟି ମେନେଜର ସମେତ ଅନ୍ୟାନ୍ୟ ଲୋକେ ଘଟଣା ସ୍ଥାନକୁ ପହଞ୍ଚିଥିଲେ । ମହିଳାମାନେ ଯୁବକଙ୍କୁ ଛାଡିଥିବା ବେଳେ ବାଇକ୍‌ OD 03 ,1571କୁ ଜବତ୍ କରି ରଖିଥିବା ଜଣାପଡିଛି । ପଞ୍ଚାୟତର ମହିଳା ମହାସଂଘର ଶତାଧିକ ମହିଳା ଆଗାମୀ ଦିନରେ ଯଦି ପୁଣି ମଦ ଯୋଗାଣ ହେବ ତେବେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଯେ, ଏହି ମହିଳା ମହାସଂଘ ଲିଖିତ ଭାବେ ସିନାପାଲି ବ୍ଲକରେ ଥିବା ସିନାପାଲି ଅବକାରୀ ବିଭାଗ, ସିନାପାଲି ଥାନା, ସିନାପାଲି ବ୍ଲକରେ ଅଭିଯୋଗ ଜଣାଇଥିଲେ । ପ୍ରଶାସନର ଖାମ୍‌ଖିଆଲି ସଲାସୁତୁରା ଯୋଗୁଁ ମଦ ମାଫିଆମାନେ ବାରମ୍ବାର ମଦ ବିକ୍ରି କରିବାକୁ ପଛ ଘୁଞ୍ଚା ଦେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ତୁରନ୍ତ ବେଆଇନ ମଦକୋଠି ଉପରେ ଚଢାଉ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.